ବଜାରରେ ବଢୁଛି ରଙ୍ଗୀନ କୋବିର ଚାହିଦା । ପରୀକ୍ଷାମୂଳକ ଭାବେ ଚାଷ କରି ସଫଳ ହୋଇଛନ୍ତି କେନ୍ଦ୍ରାପଡାର କୃଷ୍ଣଚନ୍ଦ୍ର ବେହେରା

116

କନକ ବ୍ୟୁରୋ : ବାଇଗଣି ରଙ୍ଗର ଫୁଲକୋବି ଚାଷ । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ବିଲବଳରାମପୁର ଗାଁର କୃଷ୍ଣଚନ୍ଦ୍ର ବେହେରା ଜଣେ ପରିବା ଚାଷୀ । ବିଭିନ୍ନ ପ୍ରକାରର ପରିବା ଚାଷ କରି ସେ ତାଙ୍କର ପରିବର ପ୍ରତିପୋଷଣ କରନ୍ତି । ସେ ପୂର୍ବରୁ ଧଳା ଫୁଲ କୋବି ଚାଷ କରୁଥିଲେ । ଚଳିତ ବର୍ଷ ବ୍ଲକରେ ପ୍ରଥମ କରି ବାଇଗଣି ରଙ୍ଗର ଫୁଲକୋବି ଚାଷ କରି ସଫଳତା ପାଇଛନ୍ତି । ଯାଜପୁର ଜିଲ୍ଲା କୁଆଖିଆରୁ ୧୦୦ଟି ମଂଜି ଆଣି ଚାରା ପକାଇ ଏହାକୁ ଅକ୍ଟୋବର ମାସ ଶେଷ ସପ୍ତାହରେ ଚାଷ କରିଥିଲେ । ଏବେ ଗଛରେ ବାଇଗଣୀ ରଂଗର ଫୁଲକୋବି ଫଳିଥିବା ଦେଖି ସ୍ଥାନୀୟ ଅଂଚଳର ଚାଷି ଦେଖିବା ପାଇଁ ଭିଡ ଜମାଉଛନ୍ତି । ବଜାରରେ ମଧ୍ୟ ଏହି କୋବିର ବିଶେଷ ଚାହିଦା ରହିଛି । ଗୋଟାକୁ ୪୦ ରୁ ୫୦ ଟଙ୍କା ଦାମରେ ବିକ୍ରି ହୋଉଥିବା କହିଛନ୍ତି ଚାଷି କୃଷ୍ଣଚନ୍ଦ୍ର । ପନିପରିବା ବ୍ୟବସାୟୀ ମଧ୍ୟ ଗ୍ରାହକଙ୍କ ଆଗ୍ରହ ଦେଖି କୃଷ୍ଣଚନ୍ଦ୍ରଙ୍କ ନିକଟରୁ ଏହି କୋବି କିଣୁଛନ୍ତି ।

କୃଷ୍ଣଚନ୍ଦ୍ର ମାର୍ଶାଘାଈ ବ୍ଲକରେ ପ୍ରଥମ କରି ବାଇଗଣୀ ରଙ୍ଗର ଫୁଲକୋବି ଚାଷକରି ସଫଳତା ପାଇବା ପରେ ସ୍ଥାନୀୟ ଅଂଚଳର ଚାଷୀ ମଧ୍ୟ ଏହି କୋବି ଚାଷ ପ୍ରତି ଆଗ୍ରହ ଦେଖାଉଛନ୍ତି । ଏହି କୋବିର ରଂଙ୍ଗ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଛି ।