କନକ ବ୍ୟୁରୋ : ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧ କୋଟି ୩୯ ଟଙ୍କା ଦେଖି କାବା ହୋଇ ଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି । କେବଳ ନଗଦ ଟଙ୍କା ନୁହେଁ, ତାଙ୍କ ବାସଭବନରୁ ୧ କେଜି ୨ଶହ ଗ୍ରାମ ସୁନା ମୁଦ୍ରା ଓ ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର କୁବେର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ବିଭିନ୍ନ ସ୍ଥାନରେ ବାସଭବନରେ ୪ ଦିନ ହେଲା ଚଢାଉ ଚାଲିଛି । ଯେତେ ଚଢାଉ ଚାଲିଛି, ସେତେ ସଂପତିର ସନ୍ଧାନ ମିଳୁଛି ।
ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ଏତେ ପରିମାଣ ନଗଦ ଟଙ୍କା ଓ ସୁନା ଜବତ ହୋଇଛି । ମାଲକାନାଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ବାସଭବନରୁ ଚଢାଉ ବେଳେ ଜବତ ନଗଦ ଟଙ୍କା ଦେଖି ତାଟକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଲଗାତାର ୪ ଦିନ ହେଲା ମାଲକାନଗିରି, ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ, କଟକର ତ୍ରିଶୁଳିଆ, ବେଲଗାଛିଆରେ ଚଢାଉ କରି ୧କୋଟି ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏହାଛଡା ୧ କିଲୋ ୨ଶହ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।
ଅଧୀକ୍ଷଣ ଯନ୍ତ୍ରୀଙ୍କ ବାସଭବନରୁ ୧୨ଟି ପାସବୁକ ଜବତ ହୋଇଛି । ପରିବାର ସଦସ୍ୟ ଓ ସଂପର୍କୀୟଙ୍କ ନାଁରେ ଥିବା ଏହି ପାସବୁକରେ ୨ କୋଟି ୨୫ ଲକ୍ଷ ଟଙ୍କା ଜମା ଥିବା ଜଣାପଡିଛି । ଫିକ୍ସ ଡିପୋଜିଟ୍, ସେଭିଙ୍ଗସ, ଇନସ୍ୟୁରାନ୍ସ ନେଇଥିବା ଟଙ୍କାକୁ ମିଶାଇଲେ ୪ କୋଟି ଟଙ୍କା ହେଉଥିବା କହିଛନ୍ତି ମାଲକାନଗିରିର ଭିଜିଲାନ୍ସ ଡିଏସପି । ଏହାଛଡା କେନ୍ଦୁଝର, ଗୁଣପୁର, ଭୁବନେଶ୍ୱରର ବିଭିନ୍ନ ବ୍ୟାଙ୍କରେ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସ ଓ ତାଙ୍କ ପତ୍ନୀଙ୍କ ନାଁରେ ବହୁ ଲକର ରହିଛି, ସେସବୁ ଖୋଲିଲେ ଯନ୍ତ୍ରୀଙ୍କ ସଂପତିର ପରିମାଣ ଆହୁରି ବଢିଯିବ ।
ଟଙ୍କା ଜମା କରିବାକୁ ଯାଇ ଧରାପଡିଲେ
୧୦ ଲକ୍ଷ ଟଙ୍କା ସହ ବ୍ୟାଙ୍କରୁ ଧରିଲା ଭିଜିଲାନ୍ସ
ଚଢାଉ ପରେ ଖୋଲିଲା ଗୁମର
ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଓ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧିନରେ ହେଉଥିବା ଉନ୍ନୟନମୂଳକ କାମରେ ହେରଫେର ଅଭିଯୋଗ ପରେ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ଗତ ୨୫ ତାରିଖରେ ବ୍ୟାଙ୍କକୁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇ ଭିଜିଲାନ୍ସ ଜାଲରେ ପଡିଥିଲେ ଆଶିଷ । ଟଙ୍କାର ହିସାବ ଦେଇନପାରିବାରୁ ତାଙ୍କୁ ଗିରଫ କରି ବିଭିନ୍ନ ସ୍ଥାନରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରୁଛି ।