SBI ଏଟିଏମରୁ ବାହାରିଲା ରଙ୍ଗ ଲାଗିଥିବା ୫୦୦ ଟଙ୍କିଆ ଚିରା ଫଟା ନୋଟ । ଥାନାରେ ଅଭିଯୋଗ କଲେ ଗ୍ରାହକ

32

ଗୋଟିଏ ପଟେ ନୂଆ ଜାରି ହୋଇଥିବା ୫୦୦ ଓ ୨୦୦୦ ଟଙ୍କାର ନୋଟ ଉପରେ ରଙ୍ଗ ଲଗାଇବା, କିଛି ଲେଖିବା କିମ୍ବା ପିନ୍ ମାରିବା ଉପରେ ସରକାର ରୋକ ଲଗାଇଛନ୍ତି । କିନ୍ତୁ ଅନ୍ୟପଟେ ଦେଶର ସବୁଠୁ ବଡ ବ୍ୟାଙ୍କ କୁହାଯାଉଥିବା ଏସବିଆଇ ଏଟିଏମରୁ ଚିରା ଫଟା ସହ ରଙ୍ଗ ଲାଗିଥିବା ନୋଟ ବାହାରୁଛି । ଏଭଳି ଏକ ଘଟଣା ରାୟପୁରରେ ଦେଖିବାକୁ ମିଳିଛି । ରବିବାର ରାୟପୁରରେ ଏସବିଆଇ ଏଟିଏମରୁ ଟଙ୍କା ଉଠାଇବା ବେଳେ ଚିରା ଫଟା ଓ ରଙ୍ଗ ଲାଗିଥିବା ୫୦୦ ଟଙ୍କା ବାହାରିଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁୂଯାୟୀ, ବାରଡେରାର ସିଆରପିଏଫ କ୍ୟାମ୍ପ ପାଖରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମରୁ ଦୁଇଜଣ ବ୍ୟକ୍ତି ହରିଶଙ୍କର ଟଣ୍ଡନ ଓ ନରୋତ୍ତମ ଦେବାଙ୍ଗନ ୧୦ ହଜାର ଟଙ୍କା ଲେଖାଏଁ ଉଠାଇଥିଲେ । ତେବେ ଟଙ୍କା ଉଠାଇବା ପରେ ଉଭୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଅଧିକାଂଶ ନୋଟ ଉପରେ ରଙ୍ଗ ଲାଗିଥିଲା ଓ କିଛି ନୋଟର ରଙ୍ଗ ମଧ୍ୟ ଉଡିଯାଇଥିଲା । ଏପରିକି କିଛି ଏଭଳି ନୋଟ ଥିଲା ଯେଉଁଗୁଡିକ ଚିରି ଯାଇଥିଲା । ତେବେ ଏନେଇ ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଆଶ୍ୱସନା ନ ମିଳିବାରୁ ଉଭୟ ଲୋକ ଥାନାରେ ଅଭିଯୋଗ କରିଛନ୍ତି ।