କନକ ବ୍ୟୁରୋ : ଶହେ ବର୍ଷ ପୂରଣ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ପ୍ରିଥିପାଲ ହେଉଛନ୍ତି ଏମିତି ଜଣେ ଅଧିକାରୀ ଯିଏ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ପ୍ରଥମେ ବ୍ରିଟିଶ ଶାସନ ଅଧିନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ । ପରିବାର ଲୋକଙ୍କ ବିନା ଅନୁମତିରେ ୧୯୪୨ରୁ ସେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଜଣେ ପାଇଲଟ ଭାବେ ଯୋଗଦେଇଥିଲେ । କରାଚିରେ ନିଯୁକ୍ତି ବେଳେ ହାୱାର୍ଡ଼ ବିମାନ ଉଡ଼ାଉଥିଲେ କର୍ଣ୍ଣେଲ ପ୍ରିଥୀପାଲ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ୧୯୬୫ରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧକୁ ଅତି ନିକଟରୁ ଦେଖିଛନ୍ତି ଏହି ଶତାୟୁ ସୈନିକ ।

Advertisment

ଦେଶ ସେବାରେ ଜୀବନ ଉତ୍ସର୍ଗ କରିଥିବା ଏହି ସୈନିକ ନିଜର ଶହେ ତମ ଜନ୍ମଦିନ ପାଳନ କରିଛନ୍ତି । ଚଣ୍ଡିଗଡ଼ ସ୍ଥିତ ନିଜ ବାସଭବନରେ ପରିବାର ସହ ମିଶି ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି । ଲେପ୍ଟନାଂଟ ଜେନେରାଲ କେଜେ ସିଂ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଗିଲଙ୍କ ବିଷୟରେ ସୂଚନା ଦେଇଛନ୍ତି । କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲଙ୍କର ଯୁବାବସ୍ଥାର ଫଟୋ ଏବଂ ବର୍ତମାନର ଫଟୋ ଶେୟାର କରିଛନ୍ତି କେଜେ ସିଂ । ଏବେ ନଜର ପକାନ୍ତୁ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲଙ୍କ ଜୀବନି ଉପରେ -

-ରୟାଲ ଇଣ୍ଡିଆନ ଏୟାରଫୋର୍ସରେ କାମ କରିବା ପରେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲଙ୍କୁ ଭାରତୀୟ ନୌସେନାକୁ ସ୍ଥାନାନ୍ତର କରାଯାଇଥିଲା

-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମାଲ ପରିବହନ ଜାହାଜ ଗୁଡ଼ିକର ତଦାରଖ କରୁଥିଲେ ପ୍ରିଥୀପାଲ ସିଂ 

-ଏହାପରେ ଗିଲଙ୍କୁ ଭାରତୀୟ ସ୍ଥଳସେନାକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ଗ୍ୱାଲିଅର ମାଉଣ୍ଟେନ ବ୍ୟାଟେରୀରେ ନିଯୁକ୍ତ କରାଯାଇଥିଲା  

-ଏହା ବ୍ୟତିତ ସେ ମଣିପୁରରେ ଆସାମ ରାଇଫଲ୍ସରେ ମଧ୍ୟ କାର୍ଯ୍ୟ କରିଛନ୍ତି  

ତେବେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ ଯେ କେବଳ ପ୍ରତିରକ୍ଷା କ୍ଷେତ୍ରରେ କାମ କରିଛନ୍ତି ତାହା ନୁହେଁ, ତାଙ୍କ ପୂର୍ବରୁ ତାଙ୍କର ତିନି ପିଢି ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ କାମ କରି ଦେଶ ସେବା କରଛନ୍ତି ।