କଟକରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇବା ଘଟଣା । ଜଣେ ଯୁବତୀ ସମେତ ୩ଜଣଙ୍କୁ ଅଟକ ରଖି ପୋଲିସର ପଚରା ଉଚରା ।

174

କନକ ବ୍ୟୁରୋ: କଟକରେ କଲେଜ ପଢୁଆ ଯୁବତୀଙ୍କୁ କିରାସିନି ଢାଳି ନିଆଁ ଲଗାଇଦେବା ଘଟଣାରେ ପୋଲିସ ୩ଜଣଙ୍କ ଅଟକ ରଖିଛି । ଅଟକଙ୍କ ଭିତରେ ଅଛନ୍ତି ଆହତ ଯୁବତୀଙ୍କ ସମ୍ପର୍କୀୟ ମାଉସୀ । ଏକତରଫା ପ୍ରେମରୁ ପ୍ରେମିକ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଆହତ ଯୁବତୀଙ୍କ ବାପା ମା ଲାଲବାଗ ଥାନାରେ ଏନେଇ ଏତଲା ଦେବା ପରେ, ସେମାନେ ଯାହାକୁ ସନ୍ଦେହ କରୁଛନ୍ତି ପୋଲିସର ତଦନ୍ତ ଏବେ ସେ ଦିଗରେ ଆଗଉଛି । ସିସିଟିଭି ଫୁଟେଜକୁ ଯାଂଚ କରି ପୋଲିସ ଅପରାଧୀଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ।

କଲେଜ ପଢୁଆ ଯୁବତୀଙ୍କୁ ହାତଗୋଡ ବାନ୍ଧି ନିଆଁ ଲଗାଇବା ପଛର କାରଣ କଣ? ଏନେଇ ପୋଲିସ ତନାଘନା କରୁଥିବା ବେଳେ ବିଶେଷ ସୁତ୍ରରୁ କିଛି ଏମିତି ସୂଚନା ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀଙ୍କୁ ଜାଳିଦେବାକୁ ଉଦ୍ୟମ କରିବା ଘଟଣାରେ ପୋଲିସ ୨ଜଣ ଯୁବକ ଏବଂ ଜଣେ ଯୁବତୀଙ୍କୁ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁସାରେ ପ୍ରେମିକ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଆହତ ଯୁବତୀଙ୍କ ପରିବାରଲୋକେ ଲାଲବାଗ ଥାନାରେ ଦେଇଥିବା ଏତଲା ଅନୁସାରେ, ଯୁବକ ଜଣଙ୍କ ଏକତରଫା ଭଲ ପାଉଥିଲେ । ଏପିରିକି ଫେସବୁକରେ କିଛି ଫଟୋ ଭାଇରାଲ କରିଥିଲା । କଥା ନଶୁଣିଲେ ଆଗକୁ ଅଧିକ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲା । ସେହି ପ୍ରେମିକ ଏବଂ ତାର କିଛି ସହଯୋଗୀ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । କିନ୍ତୁ ଅଟକ ଯୁବକଙ୍କ ବାପା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଘରେ କେହି ନଥିବା ବେଳେ ଯୁବତୀଙ୍କୁ ଜାଳିଦେବାକୁ ଉଦ୍ୟମ ହୋଇଥିଲା । ୪ଜଣ ଯୁବକ ଏବଂ ଜଣେ ଯୁବତୀ ମୁଖାପିନ୍ଧି ଏହି କାଣ୍ଡ ଘଟାଇଥିଲେ । ଏମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଏବେ ସିସିଟିଭି ଫୁଟେଜ ଯାଂଚ କରୁଛି । ଆହତ ଯୁବତୀଙ୍କ ବାପା ମା ଯେଉଁମାନଙ୍କ ଆଡକୁ ସନ୍ଦେହର ଅଙ୍ଗୁଳି ଦେଖାଉଛନ୍ତି ପୋଲିସ ତଦନ୍ତ ଏବେ ସେ ଦିଗରେ ଆଗଉଛି । ଅଟକ ଯୁବତୀ ଜଣଙ୍କ ଆହତ କଲେଜ ପଢୁଆ ଝିଅଙ୍କ ସମ୍ପର୍କିୟ ମାଉସୀ ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତନାଘନା ଚଳାଇଛି ପୋଲିସ । ଅତ୍ୟନ୍ତ ନିଷ୍ଠୁର ଭାବେ ୪ଜଣ ଯୁବକ ଏବଂ ଜଣେ ଯୁବତୀ ଏହି କଲେଜ ପଢୁଆ ଝିଅଙ୍କୁ ଜୀବନରେ ମାରିବାକୁ ଷଡଯନ୍ତ୍ର କରିଥିଲେ । ଅଳ୍ପକେ ବର୍ତିଗଲା ଜୀବନ । କିନ୍ତୁ ଏବେ ପୋଲିସ ଅପରାଧୀଙ୍କ ପାଖରେ ପହଂଚିବା ପାଇଁ ସବୁ ବଳ ଲଗେଇ ଦେଇଛି ।