କନକ ବ୍ୟୁରୋ : ବଲାଙ୍ଗୀର ସହରରେ ଦିନକୁ ଦିନ ବିଗିଡ଼ିଯାଉଛି ଆଇନଶୃଙ୍ଖଳା ବ୍ୟବସ୍ଥା । କଥା କଥାରେ ଆଇନକୁ ନିଜ ହାତକୁ ନେଉଛନ୍ତି ସାଧାରଣ ଲୋକେ । ସହର ଭିତରେ କଙ୍ଗାରୁ କୋର୍ଟରେ ଦୁଇ ଯୁବକଙ୍କୁ ବାନ୍ଧି ମାଡ଼ ମାରିବା ଘଟଣା ମନରୁ ଲିଭିନଥିବା ବେଳେ ଇଟାଭାଟିରେ ନାବାଳକଙ୍କୁ ସୈତାନ ଦାଦନ ସର୍ଦ୍ଦାରର ଅତ୍ୟାଚାରର ଭିଡିଓ ଭାଇରାଲ ହୋଇ ସାମ୍ନାକୁ ଆସିଥିଲା । ଗୁରୁବାର ଆଉ ଏକ କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । କଲେଜ ପିଲା ଓ କିଛି ଅଣଛାତ୍ର ଆଇନ ହାତକୁ ନେଇ ଜଣେ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି । ଭାଇରାଲ ଭିଡିଓରେ ଥିବା ଛାତ୍ରମାନେ ରାଜେନ୍ଦ୍ର ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ର ବୋଲି ୟୁନିଫର୍ମରୁ ସନ୍ଦେହ କରାଯାଉଛି । ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଚାଲୁରହିଛି ।

Advertisment

publive-image

ଭାଇରାଲ ଭିଡିଓରେ ଜଙ୍ଗଲ ଭିତରେ ଉନ୍ମତ୍ତ ଯୁବକମାନଙ୍କ ଦାଦାଗିରି । ପରିଧାନରେ କଲେଜ ୟୁନିଫର୍ମ । ଅଧିକାଂଶ ପିଲାଙ୍କ ପଛପଟେ ବହିବ୍ୟାଗ୍‌। କିଛି ଅଣଛାତ୍ର ବି ସାମିଲ ହୋଇଛନ୍ତି। ଜଣେ ଯୁବକଙ୍କୁ ଘେରାବନ୍ଦୀ କରି ବାଡ଼ିରେ ପ୍ରହାର କରୁଛନ୍ତି। ୬ ମିନିଟର ୨ଟି ଭାଇରାଲ ଭିଡିଓକୁ ଦେଖିଲେ କିଛି କିଛି ଜାଗାରେ ବାରି ହୋଇପଡୁଛି ମାଡ଼ ଖାଉଥିବା ଯୁବକ ଦେହରେ ସିଗାରେଟ ଚେଙ୍କ ବି ଦିଆଯାଉଛି । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆଗକୁ ମାରିଦେବାର ଧମକ ବି ଦିଆଯାଉଛି । ବଦମାସ ଯୁବକମାନଙ୍କର କଥା ଶୁଣିଲେ ବାରି ହୋଇପଡୁଛି ପୂର୍ବ ଶତ୍ରୁତାର ଇଏ ହେଉଛି ପ୍ରତିଶୋଧ । ୬ ମିନିଟର ଭାଇରାଲ ଭିଡିଓରେ ଦୁଇଟି ନାଁ ସ୍ପଷ୍ଟ ଜଣାପଡୁଛି । ମାଡ଼ମାରିଲା ପରେ ଗୁରୁତର ଯୁବକଙ୍କୁ ଅନ୍ୟମାନଙ୍କୁ ଗୋଡ଼ଧରି କ୍ଷମା ମାଗିବାକୁ ବାଧ୍ୟ କରାଯାଉଛି । ସହର ଆଖପାଖ ଜଙ୍ଗଲ ଭିତରେ ଏସବୁ ଘଟଣା ଘଟିଥିବା ଜଣାପଡୁଛି । କଲେଜ ପିଲାଙ୍କ କଙ୍ଗାରୁକୋର୍ଟ ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ବଲାଙ୍ଗୀର ଏସ୍‌ପି । ଏସ୍‌ପିଙ୍କ ନିର୍ଦେଶକ୍ରମେ ତୁରନ୍ତ ସ୍ୱତନ୍ତ୍ର ପୁଲିସ ଟିମ୍‌ ବିଭିନ୍ନ ଜାଗାରେ ଚଢ଼ଉ କରି ୪ ରୁ ୫ ଜଣଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟମାନଙ୍କୁ ବି ଚିହ୍ନଟ କରି ଖୋଜା ଚାଲିଛି ।

ଏ ସଂପର୍କରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଭିଡିଓ ଦେଖି କହିଛନ୍ତି, କୌଣସି ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ । ଏମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା । ପୁଲିସକୁ ଆମେ ସବୁ ପ୍ରକାର ସହାୟତା କରିବୁ । ଭିଡିଓରୁ ଛାତ୍ରମାନେ ଆମ ବିଶ୍ବବିଦ୍ୟାଳୟର ନା ଅନ୍ୟ କେଉଁ କଲେଜର ସ୍ପଷ୍ଟ ଜଣାପଡୁନି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏସ୍‌ପି ନିତିନ କୁଶଲକର ନିଜ ପ୍ରତିକ୍ରିୟାରେ କହିଛନ୍ତି, କିଛି ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଅନ୍ୟମାନଙ୍କୁ ବି ତୁରନ୍ତ କାବୁ କରାଯିବ। ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।