ଅଳିଆ ଆବର୍ଜନା ବୋହି ସ୍ୱଚ୍ଛ ସାଥୀ ସାଜିଛନ୍ତି ଶିକ୍ଷିତ କଲେଜ ଛାତ୍ରୀ । ପୋଷୁଛନ୍ତି ପରିବାର, ତୁଲାଉଛନ୍ତି ସାନ ଭଉଣୀଙ୍କ ପଢା ଖର୍ଚ୍ଚ ।

90

କନକ ବ୍ୟୁରୋ: ଗୋଟେ ପଟେ ପରିବାର ପ୍ରତିପୋଷଣ ସହ ପରିବେଶକୁ ସ୍ୱଚ୍ଛ ରଖିବାର ପ୍ରତିବଦ୍ଧତା । ଅନ୍ୟପଟେ ପାଠ ପଢି ନିଜ ଭବିଷ୍ୟତ ଗଢିବାର ପରିଶ୍ରମ । ରାସ୍ତା ଉପରେ ଅଳିଆ ନେଇ ଗାଡିର ଚକ ଯେତେ ସ୍ପିଡରେ ଗଡେ ସେତେ ସ୍ପିଡରେ ନିଜ ସ୍ୱପ୍ନର ଗାଡି ବି ନିଜ ଭିତରେ ଗଡାନ୍ତି ନାଜିଆ । କାରଣ ଘର ଘର ବୁଲି ଅଳିଆ ନେବା କାମ ସାରିବା ପରେ ସେ କଲେଜ ଯାଆନ୍ତି ପରେ ଟ୍ୟୁସନ । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିଜ ପାଠ ପଢା ସହ ପରିବାରର ବୋଝ ନିଜ କାନ୍ଧରେ ବୋହି ଚାଲିଛନ୍ତି ନାଜିଆ ।

କେନ୍ଦ୍ରାପଡା ସହର ଉପକଣ୍ଠ ଯାଇପୂରା ଗାଁର ଝିଅ ନାଜିଆ ଫିର୍ଦ୍ଦୋସ । ଯୁକ୍ତ ୩ କଳାର ଛାତ୍ରୀ । ନାଜିଆଙ୍କ ପରିଚୟ କେବଳ ଜଣେ ଛାତ୍ରୀ ନୁହଁନ୍ତି ବରଂ ସେ ଅଳିଆ ଗାଡି ଚଳାଉଥିବା ଜଣେ ସ୍ୱାବଲମ୍ବୀ ଶିକ୍ଷିତ ଯୁବତୀ । ଯିଏ ପାଠ ପଢିବା ସହ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ପୌର ସଂସ୍ଥା ପକ୍ଷରୁ ମିଳିଥିବା ଅଳିଆ ଗାଡି ଚଳାଇ ଘରୁ ଘରୁ ଆବର୍ଜନା ସଂଗ୍ରହ କରନ୍ତି । ଆଉ ଏଥିରୁ ଯାହା ରୋଜଗାର ହୁଏ ସେଥିରେ ଘର ଚଳେଇବା ସହ ନିଜ ଭଉଣୀମାନଙ୍କର ବି ପଢା ଖର୍ଚ୍ଚ ବହନ କରନ୍ତି ନାଜିଆ ।

ତେବେ ସକାଳେ ଉଠି ପ୍ରାୟ ୩ ଘଣ୍ଟା ସେ ଏହି ବ୍ୟାଟେରୀ ଚାଳିତ ଗାଡି ଚଳାଇ ପ୍ରତି ଘରୁ ଅଳିଆ ଆବର୍ଜନା ସଂଗ୍ରହ କରି ଏହାକୁ ନେଇ ଡମ୍ପିଂ ୟାର୍ଡରେ ପକାନ୍ତି । ଆଉ ପରେ ନିଜ ପାଇଁ ନିଜ କ୍ୟାରିୟର ପାଇଁ ଲାଗି ପଡନ୍ତି । ତେବେ କୌଣସି କାମ ଦୁନିଆରେ ଛୋଟ ନୁହେଁରେ ବିଶ୍ୱାସ କରୁଥିବା ନାଜିଆ ପରିବେଶକୁ ସଫା ରଖିବା ସହ ପରିବାରକୁ ସଫା ରଖୁଛନ୍ତି ବୋଲି କୁହନ୍ତି ।

ଗୋଟେ ପଟେ ସହରରେ ସକାଳୁ ସକାଳୁ ଅଳିଆ ଗାଡିର ‘ସଫେଇ ବାଲା’ର ଗୀତରେ ଅନେକ ବିରକ୍ତି ପ୍ରକାଶ କରୁଥିବା ଶୁଣିବାକୁ ମିଳୁଥିବା ବେଳେ ଅନେକ ନିଜେ କରିଥିବା ଅଳିଆକୁ ନାକ ଟେକି ଉକ୍ତ ଗାଡିରେ ପକାଇବାକୁ ଯାଆନ୍ତି… କିନ୍ତୁ ସେହି ଅଳିଆ ଯେ ଆଉ କାହା ଘରେ ଦାନା ଦେଉଛି, ଆଉ କାହା ଆଶାର ଆକାଶରେ ସ୍ୱପ୍ନର ଉଡାଣ ଭରୁଛି… ତାହା ନାଜିଆଙ୍କ ଠାରୁ ଏ ସମାଜ ଓ ସମାଲୋଚନା କରୁଥିବା ବ୍ୟକ୍ତି ବିଶେଷମାନେ ବୁଝିବା ଦରକାର ।