କ୍ୟାନସର ପୀଡିତା ମହିଳାଙ୍କ ମୁହଁରେ ହସ ଟିକେ ପାଇଁ କେଶଦାନ କଲେ କଲେଜ ଛାତ୍ରୀ । ଚର୍ଚ୍ଚାରେ ଅନୁଗୁଳର ପୂଜାଲିନ…

327

କନକ ବ୍ୟୁରୋ: ସେ ଜାଣିଛନ୍ତି କର୍କଟରୋଗୀଙ୍କ କଷ୍ଟ କଣ ? ସେ ବୁଝିଛନ୍ତି ତାଙ୍କ ପରି ନାରୀଟିଏ କର୍କଟରେ କବଳିତ ହେଲା ପରେ କଣ ହରାଏ, କଣ ପାଏ ? କେଶ ହରାଇ କେମିତି ଲାଜର ଲୁହ ପିଇ ନାରୀଟିଏ ବଞ୍ଚେ ? ସେ ପରିସ୍ଥିତିକୁ ଆଖିବୁଜି ବୁଝିବା ପରେ ନିଜ ଅମୂଲ୍ୟ ସମ୍ପତିକୁ ଦାନ କରିଛନ୍ତି ପୂଜାଲିନ । କର୍କଟରୋଗୀଙ୍କ ପାଇଁ ନିଜ କେଶ କାଟି ଦାନ କରି ଦେଇଛନ୍ତି ଜଣେ କଲେଜ ଛାତ୍ରୀ । ନିଜେ ଲଣ୍ଡା ହୋଇ, ନିଜ ସୁନ୍ଦର କେଶକୁ କ୍ୟାନସର ରୋଗୀଙ୍କ ଉଦେଶ୍ୟରେ ଦାନ କରିଛନ୍ତି ।

କେଶ ନାରୀର ସୌନ୍ଦର୍ଯ୍ୟ, ନାରୀର ଗହଣା, କେଶ ପାଇଁ ନାରୀଟିଏ ଦେବୀ ପରି ଦିଶେ । ବିନା କେଶରେ ନାରୀ ବାହାରକୁ ବାହାରେନି କି ସମାଜରେ ସହଜ ହୋଇପାରେନି । ମାତ୍ର ଯେଉଁମାନେ କ୍ୟାନସରରେ ପୀଡିତ ହୋଇ କେଶ ହରାଇଛନ୍ତି ସେମାନଙ୍କ ଅସହାୟପଣକୁ ବୁଝି ନିଜ ସୌନ୍ଦ୍ୟର୍ଯ୍ୟକୁ ସମାଧି ଦେଇ କେଶ ଦାନ କରିଛନ୍ତି ଅନୁଗୁଳ କିଶୋରନଗର ବ୍ଲକ ସଞ୍ଜମୁରା ଗାଁର ପୂଜାଲିନ ସାହୁ । ନିଜ କେଶକୁ ବେଶ ଭଲ ପାଆନ୍ତି ପୂଜାଲିନ । ମାତ୍ର କର୍କଟପୀଡିତ ନାରୀଙ୍କ କଷ୍ଟଭରା ମୁହଁ ସୋସିଆଲ ମିଡିଆରେ ଦେଖି କେଶଦାନ କରିବାକୁ ଅନୁପ୍ରାଣିତ ହୋଇଛନ୍ତି । ଆଉ ୩୫ ସେଣ୍ଟିମିଟରର କେଶକୁ କାଟି କୋରିୟରରେ ଭୁବନେଶ୍ୱରର ଏକ ଅନୁଷ୍ଠାନକୁ ପଠାଇଛନ୍ତି । ଆଉ ଇଏ ହେଉଛି ପୂଜାଙ୍କ ପୂର୍ବ-ପରର ଫୋଟ ।

ରାଉରକେଲାରେ ହୋଟେଲ ମ୍ୟାନେଜମେଣ୍ଟ ପଢୁଥିବା ପୂଜାଲିନ ଜଣେ ଶିକ୍ଷିତ ଛାତ୍ରୀ, ବିନାକେଶରେ ନାରୀତୁ ସମାଜ ସହଜରେ ଗ୍ରହଣ କରିପାରେନି । ମଫସଲି ଅଞ୍ଚଳର ଯୁବତୀ ହୋଇଥିବାର ବାର ଲୋକ ବାର କଥା କହିବେ । କିନ୍ତୁ ସେସବୁ ଖାତିର କରି କର୍କଟରୋଗୀଙ୍କ ପାଇଁ ମହତ କାମ କରିଛନ୍ତି ପୂଜା । ପ୍ରଥମେ ପ୍ରଥମେ ବାପାମାଆ ମନାକରୁଥିଲେ ବି ପରେ ଝିଅର ମହତ ଉଦ୍ଦେଶ୍ୟ ଦେଖି ପୂଜାଙ୍କ କଥାରେ ହଁ ଭରିଥିଲେ ।

ପୂର୍ବରୁ ବାରିପଦାର ଶ୍ରୁତି ମାଇତି କ୍ୟାନ୍ସର ପିଡୀତଙ୍କ ପାଇଁ କେଶ ଦାନ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୂଜାଲିନ ସେହି ବାଟର ପଥିକ ସାଜିଛନ୍ତି । ପୂଜାଲିନ କୁହନ୍ତି ମୋର ଥରେ କେଶ ଗଲେ ପୁନର୍ବାର ଉଠିବ କିନ୍ତୁ କ୍ୟାନ୍ସର ରୋଗୀଙ୍କ କେବେ ଫେରିବନି । ଆଉ କଲେଜ ଛାତ୍ରୀ ପୂଜାଲିନଙ୍କ ଏହି ମହତକାମ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଥିବା ବେଳେ ଅନୁଗୁଳ ଜିଲ୍ଲାରେ ସେ ହେଉଛନ୍ତି ପ୍ରଥମ ଯୁବତୀ ।