ଟଙ୍କା ପାଇଁ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ! ଖବର ପ୍ରସାରିତ ହେବା ପରେ ସାର୍ଟିଫିକେଟ ଫେରାଇଲେ କଲେଜ କର୍ତ୍ତୃପକ୍ଷ ।

33
କନକ ନ୍ୟୁଜ : ଶେଷରେ ନିଜ ସାର୍ଟିଫିକେଟ ପାଇଛନ୍ତି ମେଧାବୀ ଛାତ୍ର ଅନନ୍ତ ଦୀପ । ମଦନପୁର ରାମପୁର ସ୍ଥିତ ଘରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଅନନ୍ତ । ତେବେ କଲେଜ ଫି ଦେଇ ପାରି ନଥିବାରୁ ତାଙ୍କୁ ସାର୍ଟିଫିକେଟ ଦେଇ ନଥିଲେ କଲେଜ କର୍ତୃପକ୍ଷ । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ  କଲେଜ କର୍ତୃପକ୍ଷ ପରିବାରକୁ ଡାକି ସାର୍ଟିଫିକେଟ ଦେଇଛନ୍ତି । କଳାହାଣ୍ଡିର ଅନନ୍ତ ଦୀପ, ଛୋଟ ଥିବା ବେଳେ ଶିଶୁ ଶ୍ରମିକ ଭାବରେ ଉଦ୍ଧାର ହୋଇଥିଲେ । ଆଉ ଶିଶୁ ଶ୍ରମିକ ସ୍କୁଲରୁ ପାଠ ପଢ଼ି ମାଟ୍ରିକ ପରୀକ୍ଷାରେ ଫାଷ୍ଟକ୍ଲାସ୍ ଏବଂ ପରେ ଯୁକ୍ତ ଦୁଇ ବିଜ୍ଞାନରେ ଫାଷ୍ଟକ୍ଲାସ୍ ପାଇଥିଲେ ।  କିନ୍ତୁ ପରେ ଏମ ରାମପୁରରେ ଥିବା ଶ୍ରୀ ଏଜୁକେଶନରେ ନାମ ଲେଖାଇଥିଲେ ।  କିନ୍ତୁ ଅଧିକ ଟଙ୍କା ଦାବିରେ ଅନନ୍ତଙ୍କୁ  ସାର୍ଟିଫିକେଟ ଦିଆଯାଇନଥିଲା ।
ମାଟ୍ରିକ୍ ପରୀକ୍ଷାରେ ଫାଷ୍ଟକ୍ଲାସ୍ ପରେ ରାୟଗଡ଼ା ସରକାରୀ କଲେଜରେ ନାଁ ଲେଖାଇଥିଲେ ଅନନ୍ତ । ହେଲେ ସେଠି ପାଠ ପଢ଼ିବେ କ’ଣ, ତା ପୂର୍ବରୁ ଜଣେ ମେଧାବୀ ଛାତ୍ରକୁ ନିଜ ଚକ୍ରାନ୍ତର ଜାଲରେ ଛନ୍ଦି ଦେଇଥିଲା ଏମ୍.ରାମପୁରରେ ଥିବା ଶ୍ରୀ ଏଜୁକେସନ୍ । କମ୍ ପଇସାରେ ପାଠ ପଢ଼ାଇବାର ପ୍ରଲୋଭନ ଦେଖାଇ ନିଜ କଜେଲକୁ ଟାଣି ଆଣିଥିଲା ଏହି ଶିକ୍ଷାନୁଷ୍ଠାନ । ଆଉ ଯେତେବେଳେ ପାଠ ସରିଲା, ସାମ୍ନାକୁ ଆସିଲା ଅସଲ ଚେହେରା ।
ଅନନ୍ତଙ୍କ ଘରେ ପହଂଚିଯାଇଥିଲେ କଲେଜ୍ କର୍ତୃପକ୍ଷ । ହରିଜନ ପିଲାଙ୍କୁ ମାତ୍ର ୭୨ ହଜାର ଟଙ୍କାରେ ଦୁଇ ବର୍ଷ ପାଇଁ ପଢ଼ିବାର ସୁଯୋଗ ଦିଆଯିବ ବୋଲି କହି ଅତି ଚାଲାକିରେ ବୁଝାଇ ଦେଲେ କଲେଜ୍ କତୃପକ୍ଷ । ଅନନ୍ତଙ୍କ ମା’ ବାପା ଦିନରାତି ପରିଶ୍ରମ କରି ଏବଂ ଧାର ଉଧାର କରି ଅନ୍ତନ୍ତର ନାଁ ଲେଖାଇ ଦେଲେ । ଏମିତିକି କଲେଜ ଦାବି କରୁଥିବା ୭୨ ହଜାର ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଯେତେ ବେଳେ ସାର୍ଟିଫିକେଟ୍ ଦେବାର ସମୟ ଆସିଲା ଆହୁରି ୫୦ ହଜାର ଟଙ୍କା ନଦେଲେ ସାର୍ଟିଫିକେଟ୍ ଦିଆଯିବନି କହି, ସାର୍ଟିଫିକେଟକୁ ବନ୍ଧକ ରଖିଦେଲେ । ସାର୍ଟିଫିକେଟ ମୁକୁଳାଇବା ପାଇଁ ସୁଦୂର ତାମିଲନାଡୁରେ ଦାଦନ ଖଟୁଛନ୍ତି ଏହି ମେଧାବୀ ଛାତ୍ର ଜଣକ । ଏହି ଖବର ପ୍ରସାରଣ ପରେ କଲେଜ କର୍ତୃପକ୍ଷ ତାଙ୍କ ବାପାଙ୍କୁ ଡାକି ସାର୍ଟିଫିକେଟ ଦେଇଛନ୍ତି ।