କୋଭିଡ ପରିଚାଳନା ନେଇ ଜିଲ୍ଲାପାଳ ମାନଙ୍କୁ ସନ୍ଦେସ ଦେଲେ ପ୍ରଧାନମନ୍ତ୍ରୀ । କହିଲେ କରୋନା ବିରୋଧୀ ଲଢେଇରେ ଜିଲ୍ଲାପାଳମାନେ କମାଣ୍ଡର ।

223

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ କରୋନା ବିରୋଧୀ ଲଢେଇରେ ଜିଲ୍ଲପାଳମାନେ କମାଣ୍ଡର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଦିନ ଏକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କିଛି ଜିଲ୍ଲାପାଳଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ଏହା କହିବା ସହ ସ୍ଥାନୀୟ ନିୟନ୍ତ୍ରଣ କ୍ଷେତ୍ର, ଟେଷ୍ଟିଂ ସଂଖ୍ୟା ବୃଦ୍ଧି ଓ ଲୋକଙ୍କୁ ସଚେତନ କରାଇବା ହେଉଛି ମହାମାରୀ ବିରୋଧରେ ମୁଖ୍ୟ ଅସ୍ତ୍ର ବୋଲି କହିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ କହିଛନ୍ତି କି, ‘ଆପଣମାନେ ଏହି ଲଢେଇରେ ଶୀର୍ଷ କମାଣ୍ଡର, ଦେଶରେ ଯେତେ ଜିଲ୍ଲା ଅଛି ସବୁ ଜିଲ୍ଲାରେ ଅଲଗା ଅଲଗା ପରିସ୍ଥିତି, ଏସବୁକୁ ଆମ ଜିଲ୍ଲାପାଳମାନେ ସଠିକ ତରିକାରେ ସମାଧାନ କରୁଛନ୍ତି ’ । ଏହାସହ ସେ ଜିଲ୍ଲାପାଳମାନଙ୍କୁ କହିଥିଲେ କି ଆପଣ ଯେତେବେଳେ ଅନୁଭବ କରିବେ ଯେ, ଆପଣଙ୍କ ଜିଲ୍ଲା କରୋନା ବିରୋଧୀ ଲଢେଇରେ ବିଜୟଲାଭ କଲା ସେତେବେଳେ ଦେଶ ବି ବିଜୟୀ ହୋଇଛି ବୋଲି ଅନୁମାନ କରିବେ ।

ଏହି ଅନଲାଇନ୍ ବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମୀଣ କ୍ଷେତ୍ରରେ କରୋନା ସଂକ୍ରମଣ ଉପରେ ଦୃଷ୍ଟି ନିକ୍ଷେପ କରି ତାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି କି ଜିଲ୍ଲାମାନଙ୍କରେ ଚିକିତ୍ସା ସହିତ କରୋନା ବିରୋଧୀ ଲଢେଇ ପାଇଁ ଯେତେ ସାମଗ୍ରୀ ଆବଶ୍ୟକ ତାହାକୁ ମହଜୁଦ ରଖିବାକୁ ସେ କହିଛନ୍ତି ।

ଅନ୍ୟପଟେ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ କି କରୋନାକୁ ହରାଇବାକୁ ଟିକା ହେଉଛି ଏକ ସଶକ୍ତ ମାଧ୍ୟମ । ତେଣୁ ବହୁମାତ୍ରାରେ ଟିକା ଉତ୍ପାଦନ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ବସାଇବାକୁ କାମ ଆରମ୍ଭ ହୋଇଥିବା କଥା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।