ରାଜା ବନିଲେ ଜିଲ୍ଲାପାଳ, ବସିଲା ରାଜଦରବାର । ମହାରାଜଙ୍କୁ ନିଜ ନିଜର ଦୁଃଖ ଜଣାଇଲେ ପ୍ରଜା । ଗଣତନ୍ତ୍ରରେ ଦେଖିବାକୁ ମିଳିଲା ରାଜତନ୍ତ୍ର ଝଲକ

634

କନକ ବ୍ୟୁରୋ: ରାଜା ହେଲେ ଜିଲ୍ଲାପାଳ । ବସିଲା ରାଜଦରବାର । ଜଣେ ପରେ ଜଣେ ପ୍ରଜା ମହାରାଜଙ୍କୁ ଦୁଃଖ ଜଣାଇଲେ । ରାଜା ତୁରନ୍ତ ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ବି ଦେଲେ । ଜଗତସିଂହପୁର ଜିଲ୍ଲା ସିଦ୍ଧ ବଳଦେବ ଜୀଉ ମନ୍ଦିରରେ ଅନୁଷ୍ଠିତ ରାଜାଭିଶେଖ ଉତ୍ସବରେ ସାମ୍ନାକୁ ଆସିଛି ଏଭଳି କିଛି ବିରଳ ଚିତ୍ର ।

ରାଜା ବନିଲେ ଜିଲ୍ଲାପାଳ । ବସିଲା ରାଜ ଦରବାର, ଗୁହାରି କଲେ ପ୍ରଜା । ଗଣତନ୍ତ୍ରରେ ରାଜତନ୍ତ୍ର ଝଲକ! ରାଜା ଭାବେ ପ୍ରଜାଙ୍କ ଗହଣରେ ଶୋଭାଯାତ୍ରାରେ ଆସିଲେ ଜିଲ୍ଲାପାଳ । ଦୁଇ କଡ଼ରେ ଚାମର ଓ ମୁଣ୍ଡ ଉପରେ ଶୋଭାପାଉଥିଲା ଟାହିଆ । ଘଂଟ ଶଙ୍ଖ ନାଦାରେ ପ୍ରଙ୍କମ୍ପିତ ହେଉଥିଲା ପରିବେଶ । ଜିଲ୍ଲାପାଳଙ୍କ ମୁଣ୍ଡରେ ଥିଲା ରାଜ ମୁକୁଟ । ବେକରେ ମହାପ୍ରଭୁଙ୍କ ଆଜ୍ଞାମାଳ । ଜିଲ୍ଲା ପ୍ରଶାସନର ମୁଖ୍ୟ ତଥା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହେଲେ ରାଜା । ସ୍ୱତନ୍ତ୍ର ରିତିନୀତି ଅନୁସାରେ ପଣ୍ଡିତ ଗଣ ଜିଲ୍ଲାପାଳଙ୍କୁ ରାଜାଭିଶେଖ କରାଇଲେ । ଧର୍ମପତ୍ନୀଙ୍କ ସହ ଚତୁର୍ଦ୍ଧାମୂର୍ତ୍ତଙ୍କୁ ପୂଜାର୍ଚ୍ଚନା ପରେ ବସିଲା ରାଜ ଦରବାର । ନୂତନ ରାଜାଙ୍କୁ ପ୍ରଜା ଭାବରେ ମହିଳା ପୁରୁଷ ଉଭୟ ପୁଷ୍ପ ଦେଇ ସ୍ୱାଗତ ବି କଲେ । ଏହାପରେ ପ୍ରଜାମାନେ ରାଜାଙ୍କୁ ନିଜର ଦୁଃଖ ଦୁର୍ଦ୍ଦଶା ଜଣାଇଲେ ।

ଜିଲ୍ଲାପାଳ କେବଳ ରାଜା ବନିନଥିଲେ । ବରଂ ରାଜାଭାବେ ପ୍ରଜାଙ୍କ ଗୁହାରି ବି ଶୁଣିଥିଲେ । ରାସ୍ତା, ଜଳ ନିସ୍କାସନ, ପିଇବା ପାଣି, ପକ୍କାଘର ପାଇଁ ପ୍ରଜାମାନେ ଗୁହାରି କରିଥିଲେ । ଆଉ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ରାଜା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗଣତନ୍ତ୍ର ଭିତରେ ରାଜତନ୍ତ୍ରର ଏଭଳି ନିଆରା ପରମ୍ପରା ଦୀର୍ଘ ଦିନରୁ ଚାଲିଆସୁଛି ।