କନକ ବ୍ୟୁରୋ : କରୋନା ସଂକ୍ରମଣ ପାଇଁ ଓଡିଶାର ଚାରିଟି ବଡ ସରକାରୀ ହସ୍ପିଟାଲ ଉପରେ ଜାରି ହୋଇଛି କଟକଣା । ରାଜ୍ୟର ସବୁଠାରୁ ବଡ ସରକାରୀ ମେଡିକାଲ ଏସସିବି ସମେତ, ଶିଶୁଭବନ, ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ଓ କଟକ ସିଟି ହସ୍ପିଟାଲ ଉପରେ କରୋନା କଟକଣା ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଅତି ଆବଶ୍ୟକ ନହେଲେ ଏସସିବିକୁ ଆସିବାକୁ ବାରଣ କରିଛି ପ୍ରଶାସନ । ଏସବୁ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ଯାହା ଅଣକୋଭିଡ ଓ ଗୁରୁତର ରୋଗୀଙ୍କ ଚିନ୍ତା ବଢାଇଦେଇଛି ।
କଟକ ବଡ ମେଡିକାଲରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କର ଜଟିଳ ଓ ଗୁରୁତର ରୋଗର ଚିକିତ୍ସା ହୋଇଥାଏ । ହେଲେ ଏସସିବି ପରିସରରୁ ୨୨ଜଣ କେରାନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଣିକି ଆବଶ୍ୟକ ନହେଲେ ବଡ ମେଡିକାଲକୁ ନଆସିବାକୁ କୁହାଯାଇଛି । କଟକ ବଡ ମେଡିକାଲରେ ୧ହଜାରରୁ ଅଧିକ ବେଡ ରହିଛି । ଶସ୍ତାରେ ସୁପରସ୍ପେସାଲିଟି ସୁବିଧା ଉପଲବ୍ଧ ହେଉଥିବା ଏସସିବିକୁ ପ୍ରତିଦିନ ପ୍ରାୟ ୨ହଜାର ୫୦୦ରୋଗୀ ଆସନ୍ତି । ଯେତେବେଳେ ଗୁରୁତର ରୋଗୀ ସବୁଠି ନିରାଶ ହୁଅନ୍ତି,ସେତେବେଳେ କଟକ ବଡ ମେଡିକାଲ ରୋଗୀଙ୍କ ଭରସା ପାଲଟିଯାଏ ।ହେଲେ ବର୍ତ୍ତମାନ ଏସସିବିରେ ଏହି କରୋନା କଟକଣା ବିଭିନ୍ନ ଜଟିଳ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।
ଶିଶୁମାନଙ୍କ ଚିକିତ୍ସା ପାଇଁ ସବୁଠୁ ଭରସାଯୋଗ୍ୟ କୁହାଯାଉଥିବା କଟକ ଶିଶୁଭବନରେ ବି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଟକଣା ଜାରି ହୋଇଛି । ଶିଶୁଭବନରେ ଶିଶୁମାନଙ୍କ ଭେଷଜ ସହ ଅସ୍ତ୍ରୋପଚାର ଓ ପରୀକ୍ଷଣର ଅତ୍ୟାଧୁନିକ ସୁବିଧା ଶସ୍ତାରେ ଉପଲବ୍ଧ । ଦୈନିକ ପ୍ରାୟ ୩୫୦ ଜଣ ଶିଶୁ ଶିଶୁଭବନ ଉପରେ ନିର୍ଭର କରନ୍ତି । ଶିଶୁଭବନରେ କିନ୍ତୁ କରୋନା ଭୂତାଣୁ ପ୍ରବେଶ କରିବା ସମସ୍ତଙ୍କ ମନରେ ଛନକା ଭରିଦେଇଛି । ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ଫଳରେ ବର୍ତ୍ତମାନ ଏଠାକୁ ଆସୁଥିବା ଗୁରୁତର ଓ ନବଜାତଙ୍କ ପାଇଁ ଚିନ୍ତା ବଢିଛି । ଗୋଟିଏ ପଟେ ଅଣକୋଭିଡ ରୋଗର ଚିକିତ୍ସା ଚିନ୍ତା ତ ଅନ୍ୟପଟେ କରୋନା ସଂକ୍ରମଣରର ଭୟ ଘାରିଛି ।
କର୍କଟ ରୋଗର ଚିକିତ୍ସା ପାଇଁ ଓଡିଶାର ସବୁଠୁ ବଡ ସରକାରୀ ହସ୍ପିଟାଲ ଆଚାର୍ଯ୍ୟ ହରିହର କ୍ୟାନସର ସେଂଟରୁ ୧୧୧ଜଣ କରେନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜାରି ହୋଇଛି କଟକଣା । ଅତିଆବଶ୍ୟକ ନହେଲେ ଏହି ହସ୍ପିଟାଲକୁ ନଆସିବାକୁ ପରାମର୍ଶ ଦିଆଯାଇଛି । ଫଳରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓ ହେବାକୁ ଥିବା ରୋଗୀ ଚିନ୍ତାରେ ପଡିଛନ୍ତି ।
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଦୈନିକ ପ୍ରାୟ ୫୦୦ ରୋଗୀ ଆସନ୍ତି । ସେପଟେ କ୍ୟାନସର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମ । ଏଭଳି ସ୍ଥିତିରେ କରେନା ସଂକ୍ରମଣରେ ପ୍ରଭାବିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ କେମିତି ଚିକିତ୍ସା ପାଇଁ ଆସିବେ ରୋଗୀ । ସବୁଠୁ ବଡ କଥା ହେଉଛି ଜଟିଳରୁ ଜଟିଳ ରୋଗର ଚିକିତ୍ସା ପାଇଁ ଓଡିଶା ସମେତ ଝାଡଖଣ୍ଡ,ବିହାର ଓ ପଶ୍ଚିମବଙ୍ଗର ବହୁ ରୋଗୀ କଟକ ସହରର ଏସବୁ ବଡ ବଡ ହସ୍ପିଟାଲ ଉପରେ ନିର୍ଭର କରନ୍ତି । ହେଲେ କଟକର ଏହି ୪ଟି ବଡ ସରକାର ହସ୍ପିଟାଲରେ କରୋନା କଟକଣା ଅଣକୋଭିଡ ଓ ଗୁରୁତର ରୋଗୀଙ୍କ ସମସ୍ୟା ବଢାଇବାର ଆଶଙ୍କା ସୃଷ୍ଟି କରିଛି ।