କନକ ବ୍ୟୁରୋ : ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ହେବ ଆଗାମୀ ପଞ୍ଚାୟତ ନିର୍ବାଚନ । ପୂର୍ବରୁ ମାଓବାଦୀଙ୍କ ଭୟରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହିଥିଲା । କିନ୍ତୁ ଗୁରୁପ୍ରିୟା ସେତୁ ହେବା ପରେ ପୁଲିସ ଓ ପ୍ରଶାସନ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚି ପାରିଛି । ସ୍ୱାଭିମାନ ଅଂଚଳର ପଣସପୁଟ, ଯୋଡାମ୍ବ, ଗାଜଲମାମୁଡି, ପାପେରମେଟଲା ଆଦି ପଂଚାୟତ ବୁଲି ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ସ୍ୱାଭିମାନ ଅଂଚଳ ମତଦାନ କରିବ ବୋଲି ଆଶା ସଞ୍ଚାର ହୋଇଛି । ଜିଲ୍ଲାପାଳ ବିଶାଳ ସିଂ ଓ ଏସପି ପ୍ରହ୍ଲାଦ ସାୟ ମିନା ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଛନ୍ତି । ଗୁରୁପ୍ରିୟା ସେତୁ ପରେ ପ୍ରଶାସନ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଥିଲେ ମଧ୍ୟ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ବହୁ ଲୋକଙ୍କୁ ପକ୍କା ଘର, ଭତା ଏଯାଏଁ ମିଳିପାରିନଥିବା ଏସପି ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ।