କନକ ବ୍ୟୁରୋ : ଅନେକ ସମୟରେ ପ୍ରାକୃତିକ ତଥା ଜଙ୍ଗଲଜାତ ଦ୍ରବ୍ୟ ମଣିଷଙ୍କୁ ରୋଜଗାରର ମାଧ୍ୟମ ଦେଇଥାଏ । ଗଛ,ଲତା ଠାରୁ ଆରମ୍ଭ କରି ପତ୍ର ,ଫୁଲ , ଫଳ , ଚେର ପର୍ଯ୍ୟନ୍ତ ଅନେକ କିଛି ଜଙ୍ଗଲଜାତ ଦ୍ରବ୍ୟ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ମଣିଷର ରୋଜଗାର ପାଇଁ ଖୋରାକ ଯୋଗାଇଥାଏ । ତେଣୁ ତାକୁ ସଂଗ୍ରହ କରି ଅନେକ ଗରୀବ ଲୋକ ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି ।

Advertisment

ଓଡିଶାର ଅନେକ ଯାଗାରେ ଝାଡୁ ଗଛ ସଂଗ୍ରହ କରି ବିକ୍ରି କରୁଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଅନେକ ପରିବାର ପାଖ ଜଙ୍ଗଲ ଏବଂ ଜମି ହିଡରୁ ଏହି ଝାଡୁ ଗଛ ସଂଗ୍ରହକରି ତାକୁ ବିକି ନିଜେ ବର୍ତମାନ ସମୟରେ ହୋଇପାରିଛନ୍ତି ସ୍ୱାବଲମ୍ବୀ ଆଉ ତାକୁ ନେବାପାଇଁ ସୁଦୁର ଆନ୍ଧ୍ରରୁ ବେପାରୀ ଆସି ଗାଁ ଗାଁରେ ଡେରାପକାଇ ଶାଗମାଛ ଦରରେ ନେଉଛନ୍ତି ଏହି ଝାଡୁ ।

ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଂଚଳ ବଣ ପାହାଡ ଘେରା ହୋଇଥିବା ବେଳେ ଏହାର ପାଦ ଦେଶରେ ବସବାସ କରୁଥିବା ଅନେକ ପରିବାର ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳନ୍ତି । ସେଥିମଧ୍ୟରୁ ବର୍ତମାନ ସମୟରେ ଝାଡୁ ଗଛ ସଂଗ୍ରହ କରି ଏହାକୁ ବିକ୍ରି କରି ପରିବାର ଚଳାଉଥିବା ବେଳେ ଆନ୍ଧ୍ରର ବ୍ୟବସାୟୀ କବଳରୁ ବାହାରିପାରୁ ନାହାଁନ୍ତି ଏହି ସଂଗ୍ରହକାରୀ ।

ପରିଶ୍ରମକୁ ଦେଖିଲେ ସେମାନଙ୍କୁ ଉଚିତ ପାରିଶ୍ରମିକ ଦେଉନାହାଁନ୍ତି ବ୍ୟବସାୟୀ । ଗାଁ ଗାଁରେ ସେମାନଙ୍କ ଏଜେଟଂ ଡେରାପକାଇ ବହୁ କମ ଦରରେ ନେଇଯାଉଛନ୍ତି । ବର୍ତମାନ ସମୟରେ ଟ୍ରକ ଟ୍ରକ ମାଲ ସଂଗ୍ରହ କରି ଆନ୍ଧ୍ର କୁ ପଠାଇ ବେଶ ମୁନାଫା କରୁଛନ୍ତି ଏଠିକାର ଦଲାଲ ଓ ଏଜେଂଟ ।

ଋାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ଆସି ଏହି ଗାଁରୁ ଟ୍ରକଟ୍ରକ ଝାଡୁ ସଂଗ୍ରହ କରି କମ ଦାମରେ କିଣିନେଇ ତାକୁ ଆନ୍ଧ୍ରପ୍ରଦେଶ , ହରିୟାନା , ତେଲେଙ୍ଗାନା ଭଳି ବାହାର ରାଜ୍ୟକୁ ପଠାଇ ଅଧିକ ଲାଭବାନ ହେଉଥିବା ବେଳେ ସରକାରଙ୍କ ତରଫରୁ ସିଧାସଳଖ ଏହି ଗାଁରୁ ଝାଡୁ କିଣିବାର ବ୍ୟବସ୍ଥା କରାଗଲେ ମହିଳା ମାନେ ଅଧିକ ଦୁଇପଇସା ରୋଜଗାର କରିପାରନ୍ତେ ।

ଏହିସବୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ କୁଚିଣ୍ଡା ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ ଏହାର ସୁବିଧା କରାଯାଇଛି । ହେଲେ ପ୍ରଚାର ଓ ପ୍ରସାର ଅଭାବ ଓ ବିକ୍ରିର ବ୍ୟବସ୍ଥା ଜାଣି ନପାରିବାରୁ ବାଧ୍ୟ ହୋଇ ଦଲାଲର ଶିକାର ହେଉଛନ୍ତି ସଂଗ୍ରହକାରୀ । ତେବେ ସେମାନଙ୍କ ଦ୍ରବ୍ୟ କିପରି ଦଲାଲ ମୁକ୍ତ ହୋଇ ସୁଲଭ ମୁଲ୍ୟରେ ସରକାରଙ୍କୁ ବିକ୍ରି କରିପାରିବେ ସେ ଦିଗରେ ଧ୍ୟାନ ଦେବା ପାଇଁ କହିଛନ୍ତି ପ୍ରକଳ୍ପ ନିର୍ଦ୍ଧେଶକ ।

ଆନ୍ଧ୍ର ହେଉ କି ତେଲେଙ୍ଗାନା ଏବେର ସମୟରେ ଏହି ଅଂଚଳର ଅନେକ ପରିବାରକୁ ସ୍ୱାବଲମ୍ବୀ କରାଇ ଜୀବନ ଜୀଇଁବାର ରାହା ଦେଖାଇଛି ଝାଡୁ ।