ବିଶ୍ୱସ୍ତରୀୟ ବିମାନବନ୍ଦରରେ ବଡ଼ ଅଘଟଣ । ଭାଙ୍ଗିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ । ଚଟାଣ ତଳେ ଦବିଲା କାର, ଅନେକ ଆହତ

772

କନକ ବ୍ୟୁରୋ: ମୌସୁମୀର ପ୍ରଥମ ବର୍ଷାରୁ ହିଁ ଦିଲ୍ଲୀରେ ହାହାକାର ପରିସ୍ଥିତି । ଶୁକ୍ରବାର ସକାଳୁ ଇନ୍ଦିରାଗାନ୍ଧୀ ଅର୍ନ୍ତଜାତୀୟ ବିମାନ ଛାତ ଭୁଷୁଡିବା ଯୋଗୁଁ ୩ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ତେବେ କେଉଁ କାରଣ ପାଇଁ ରାଜଧାନୀର ହାଇପ୍ରୋଫାଇଲ ବିମାନବନ୍ଦରର ଛାତ ଭୁଷୁଡିଲା ଏହାର କାରଣ ଖୋଜା ଚାଲିଛି ।

  • ବିଶ୍ୱସ୍ତରୀୟ ବିମାନବନ୍ଦରରେ ବଡ଼ ଅଘଟଣ
  • ଭାଙ୍ଗିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ
  • ଚଟାଣ ତଳେ ଦବିଲା କାର, ଅନେକ ଆହତ

ଭୁଷୁଡିଲା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତଜାର୍ତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ । ଟର୍ମିନାଲ ୧ ଛାତର ଏକ ଅଂଶ ଭାଙ୍ଗି କାର ଉପରେ ପଡିଛି । ତେବେ ଭାଗ୍ୟବଶତ ଡ୍ରାଇଭରକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲେ ବି କାରଟି ଭାଙ୍ଗି ଚୁରମାର ହୋଇଛି । ଏହି ରାସ୍ତାଦେଇ ଯାଉଥିବା ଆଉ କିଛି କାର କ୍ଷତିଗସ୍ତ ହେବା ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

ଶୁକ୍ରବାର ଭୋର ୫ଟାରେ ଟର୍ମିନାଲ ୧ ପ୍ରସ୍ତାନ ଗେଟରୁ ୨ ନମ୍ବର ଗେଟ୍ ରାସ୍ତା ଛାତର ଏକ ଅଂଶ ହଠାତ ଭୁଷୁଡିପଡିଥିଲା । ତେବେ ବର୍ଷା ଯୋଗୁଁ ନାଁ ଆଉ କୌଣସି କାରଣରୁ ଅଘଟଣ ଘଟିଛି ଏହା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ସେପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ । ଏଥିସହ ମୃତକ ଓ ଆହତଙ୍କ ପାଇଁ ସାହାଯ୍ୟ ରାଶି ଘୋଷଣା କରାଯାଇଛି ।
ଅଘଟଣ ପରେ ବିମାନଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ସେପଟେ ବିଳମ୍ବରେ ବିମାନ ଚଳାଚଳ ଓ କିଛି ରଦ୍ଦ ହେବା ଯୋଗୁଁ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁନିଆର ହାଇପ୍ରୋଫାଇଲ ବିମାନବନ୍ଦର ମଧ୍ୟରେ ଅନ୍ୟତମ ହେଉଛି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦର । ଏଠାରୁ ପ୍ରତ୍ୟେକ ଦିନ ୧୨ଶହରୁ ଅଧିକ ବିମାନ ଯାତ୍ରା କରେ ଓ ବାର୍ଷିକ ୭କୋଟିରୁ ଅଧିକ ଲୋକ ବିମାନଯାତ୍ରା କରିଥାନ୍ତି ।ପ୍ରାୟ ୫ହଜାର ଶହେ ଏକର ଜମିରେ ଏହା ନିର୍ମିତ । ବିମାନବନ୍ଦରରେ ମୋଟ ତିନୋଟି ଟର୍ମିନାଲ ରହିଛି । ତେବେ ମୌସୁମୀ ବର୍ଷାର ପ୍ରଥମ ଝଟକାରେ ଯଦି ବିଶ୍ବସ୍ତରୀୟ ବିମାନବନ୍ଦରର ସ୍ଥିତି ଏଭଳି ହୁଏ ତେବେ ଆଗାମୀ ଦିନରେ କ’ଣ ହେବ ବୋଲି ପ୍ରଶ୍ନ ଉଠୁଛି।