ଜାନୁଆରୀ ମାସର ଶେଷ ୧୦ଦିନ, ରାଜ୍ୟରୁ ସମ୍ପୁର୍ଣ୍ଣ ଗାଏବ ହୋଇଯିବ ଶୀତ

280

ଚଳିତ ବର୍ଷ ରାଜ୍ୟରେ ଶୀତ ଦିନ ସଂଖ୍ୟା କମ୍‌ ରହିବା ସହ ଶୀତ ପ୍ରକୋପ ମଧ୍ୟ କମ୍‌ ରହିବ ବୋଲି ଏବେଠୁ ଏକପ୍ରକାର ସ୍ପଷ୍ଟ ହୋଇଗଲାଣି। ଗତ ଅଢ଼େଇ ମାସରେ ରାଜ୍ୟରେ ମାତ୍ର ୮ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରି ଶେଷ ୧୦ ଦିନ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ଗାଏବ ହୋଇଯିବ। ଯଦି କୌଣସି ପାଣିପାଗର ନିୟାମକ ପ୍ରଭାବ ଓଡ଼ିଶା ଉପରେ ନ ରୁହେ, ତେବେ ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତ ଅନୁଭୂତ ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ମୁତାବକ ରାଜ୍ୟରେ ନଭେମ୍ବରର ୩ରୁ ୪ଦିନ ଓ ଡିସେମ୍ବରରେ ୫ ଦିନ (୧୯ତାରିଖରୁ ୨୩ ତାରିଖ) ଯାଏ ପ୍ରବଳ ଶୀତ ଅନୁଭୂତ ହୋଇଥିଲା। ଅର୍ଥାତ ସମୁଦାୟ ୮ ଦିନ ରାଜ୍ୟରେ ଶୀତ ପଡ଼ିଥିବା ବେଳେ ସେଥିରୁ ୫ ଦିନ ହାଡ଼ ଭଙ୍ଗା ଶୀତ ଅନୁଭୂତ ହୋଇଥିଲା। ସାଧାରଣତଃ ଶୀତ ଦିନେ ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିଲେ ଏହାକୁ ଆମେ ଏହାକୁ ଶୀତ ପଡ଼ିଲା ବୋଲି କହିପାରିବା। କିନ୍ତୁ ରାଜ୍ୟରେ ଚଳିତ ବର୍ଷ ଶୀତ ଦିନର ସର୍ବନିମ୍ନ ତାପମାତ୍ରା ଅଧିକାଂଶ ସମୟରେ ସ୍ବାଭାବିକଠାରୁ ଅଧିକ ରହିଥିଲା କିମ୍ବା ସ୍ବାଭାବିକ ରହିଥିଲା। ଏଣୁ ଏ ପର୍ଯ୍ୟନ୍ତ ଏହି ୮ ଦିନରେ ହିଁ ସୀମିତ ରହିଛି ଚଳିତ ବର୍ଷର ଶୀତ ଦିନ ସଂଖ୍ୟା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ପାଣିପାଗ କେନ୍ଦ୍ର କହିଛି ଯେ ରାଜ୍ୟରେ ଏବେ ପାଗ ଶୁଖିଲା ଓ ଖରାଟିଆ ରହିଥିବାରୁ ପାରଦ ଧୀରେଧୀରେ ନିମ୍ନଗାମୀ ହେବାରେ ଲାଗିଛି ଓ ଶୀତ ବଢ଼ୁଛି। ଆସନ୍ତା ୩ ଦିନରେ ଆହୁରି ୩ ଡିଗ୍ରି ଖସିବ। ଜାନୁଆରି ୧୯ ତାରିଖ ଯାଏ ଶୀତର ପ୍ରକୋପ ରହିବ। ହୁଏତ ଏହା ଚଳିତ ବର୍ଷର ଶେଷ ଶୀତ ହୋଇପାରେ। ଆସନ୍ତା ୨୧ ଓ ୨୭ ତାରିଖ ଆଡ଼କୁ ରାଜ୍ୟରେ ଆଉ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ ଓ ଜାନୁଆରି ଶେଷ ୧୦ ଦିନ ଶୀତ ଗାଏବ ହୋଇଯିବ। ଯଦି ‌ଫେବ୍ରୁଆରିରେ ‌କୌଣସି ପାଣିପାଗର ନିୟାମକ ନ ରୁହେ, ହୁଏତ ଆଉ ଏକ ଶୀତ ଲହର ଆସିପାରେ। କିନ୍ତୁ ଫେବ୍ରୁଆରି ମଧ୍ୟ ଭାଗକୁ ରାଜ୍ୟରୁ ଶୀତ ଉଭାନ୍‌ ହୋଇଯାଇପାରେ। ଶ୍ରୀ ଦାସ କହିଛନ୍ତି ଯେ ଗତ ୧୬ ତାରିଖରୁ ଏକ ପଶ୍ଚିମା ଝଡ଼ ସୃଷ୍ଟି ହୋଇଛି। ଏହା ଆଫଗାନିସ୍ଥାନ ଓ ପାକିସ୍ତାନ ହୋଇ ଓଡ଼ିଶା ଆସିବା ବେଳକୁ ୨୧ତାରିଖ ହୋଇଯିବ। ଏହା ପ୍ରଭାବରେ ରାଜ୍ୟର ପାରଦ ସ୍ତର ବଢ଼ିବ ଓ ଶୀତ ସମ୍ପୂର୍ଣ୍ଣ କମିଯିବ। ଏହାପରେ ୨୩ ତାରିଖରେ ଏକ ପଶ୍ଚିମା ଝଡ଼ ସୃଷ୍ଟି ହୋଇ ଓଡ଼ିଶାରେ ୨୭ ତାରିଖ ସୁଦ୍ଧା ପହଞ୍ଚିବ। ଫଳରେ ଜାନୁଆରି ୨୦ରୁ ୩୦ ତାରିଖ ଯାଏ ଶୀତ ପଡ଼ିବା ସମ୍ଭାବନା ଖୁବ୍‌ କ୍ଷୀଣ। ହୁଏତ ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଜ୍ୟରେ ଅଳ୍ପ ଶୀତ ପଡ଼ିପାରେ। କିନ୍ତୁ ଚଳିତ ବର୍ଷ ରାଜ୍ୟରେ ଶୀତ ଅଧିକ ସମୟ ରହିବ ନାହିଁ। ଫେବ୍ରୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ରାଜ୍ୟରୁ ଶୀତ କମିବା ସହ ଚତୁର୍ଥ ସପ୍ତାହ ଆଡ଼କୁ ଖରା ଆରମ୍ଭ ହୋଇଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ଏଥର ଶୀତ ଦିନ ସଂଖ୍ୟା ଏ ପର୍ଯ୍ୟନ୍ତ ୮ ଦିନରେ ସୀମିତ ଥିବା କଥା ସେ କହିଛନ୍ତି।

ଚଳିତ ବର୍ଷ ହେଉଛି ଲା-ନିନା ବର୍ଷ। ଲା-ନିନା ବର୍ଷରେ ସାଧାରଣତଃ ଶୀତ ଅଧିକ ପଡ଼ିଥାଏ। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁକୁ ଏହା ରାଜ୍ୟ ତଥ‌ା ଦେଶର ଅନେକ ସ୍ଥାନକୁ ଟାଣିଥାଏ। ଫଳରେ ଥଣ୍ଡା ବଢ଼ିଥାଏ। କିନ୍ତୁ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ରହୁଛି। ଫଳରେ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ବହିବାରେ ବାଧା ସୃଷ୍ଟି ହେଉଛି। ସାଧାରଣତଃ ଏକ ଶୀତ ଋତୁରେ ରାଜ୍ୟକୁ ୩ଟି ଶୀତ ଲହରି ପ୍ରବାହିତ ହୋଇଥାଏ। ଗୋଟିଏ ଶୀତ ଋତୁରେ ସ୍ବାଭାବିକ ଭାବେ ସର୍ବମୋଟ୍‌ ୧୬ ଦିନ ଦିନ ଶୀତ ଲହରି ଯୋଗୁଁ ଶୀତ ‌ହୋଇଥାଏ। କିନ୍ତୁ ଗତବର୍ଷ ମଧ୍ୟ ୭ରୁ ୮ ଦିନ ଓ ଚଳିତ ବର୍ଷ ଏଯାଏ ୮ ଦିନ ଶୀତ ହୋଇଥିବା ସୂଚନା ଦେଇଛନ୍ତି ବୈଜ୍ଞାନିକ ଶ୍ରୀ ଦାସ। ଆସନ୍ତା ଦୁଇଦିନ ରାଜ୍ୟରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ୧୮ ତାରିଖ ଦିନ ସକାଳୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକ ଆଜି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଏଥିସହ ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାରେ ପ୍ରବଳ କୁହୁଡ଼ି ପଡ଼ିବ। ଏଣୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୩ରୁ ରାଜ୍ୟ‌ର ପାଗରେ ପରିବର୍ତ୍ତନ ଘଟିବ। ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୩ ଓ ୨୪ ତାରିଖରେ ସ୍ବଳ୍ପ ବର୍ଷା ହେବ। ୨୪ ଓ ୨୫ ତାରିଖରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖରୁ ବଙ୍ଗୋପସାଗରୀୟ ପବନ ରାଜ୍ୟକୁ ପ୍ରବାହିତ ହେବ ଓ କୁହୁଡ଼ି ବଢ଼ିବ।