କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା । ସବୁଠି ରାତିେରେ ପାରଦ ତଳମୁହାଁ ରହିଛି । ୪ ଦିନ ତଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଢେର ଉପରେ ରହୁଥିଲା । ମାତ୍ର ଏବେ ସ୍ଥିତିରେ ପରିବର୍ତ୍ତନ ହୋଇଛି । ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ତରକୁ ଫେରିବା ସହ ସାରା ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି ।
ଗତ ୨୪ ଘଂଟା ମଧ୍ୟରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୮.୫, କିରେଇ ଓ ସେମିଳିଗୁଡ଼ାରେ ୮.୭, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୯.୬, ରାଉରକେଲାରେ ୯.୭ ଡିଗ୍ରୀ, କେନ୍ଦୁଝରରେ ୧୦.୪, ସୁନ୍ଦରଗଡ଼ରେ ୧୦.୫, ଅନୁଗୁଳରେ ୧୦.୬, ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ପାଗରେ ସାମାନ୍ୟ ଏପାଖ ସେପାଖ ହୋଇଛି । କଟକର ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୧୫.୩ ଡିଗ୍ରୀ ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।