ଥଣ୍ଡା କରୁଛି କଲବଲ । ବଢ଼ୁଛି ସ୍ୱାସ୍ଥ୍ୟଜନିତ ସମସ୍ୟା

296

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଦିନିଆ ବର୍ଷା ଯୋଗୁଁ ହଠାତ୍ ଥଣ୍ଡା ବଢ଼ିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ବିଶେଷକରି ଅନେକ ଲୋକଙ୍କର ଗଳା ଦରଜ ସମସ୍ୟା ଦେଖିବାକୁ ମିଳିଛି । ଆଉ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି ।

ଇଏ ହେଉଛି କଟକ ଏସସିବିର ମେଡିକାଲର ଦୃଶ୍ୟ । ଇଏନ୍ଟି ବିଭାଗରେ ଲାଗିଛି ଲମ୍ବା ଧାଡ଼ି । ଅଧିକାଂଶ ରୋଗୀ ଗଳା ବସିବା ସମସ୍ୟା ନେଇ ଡାକ୍ତରଙ୍କୁ ଦେଖାଇବାକୁ ଆସିଛନ୍ତି । ଏହାଛଡ଼ା ପ୍ରବଳ ଥଣ୍ଡା ଯୋଗୁଁ ଗଳା ଧରଜ, ନାକ ବନ୍ଦ, କାନରେ ଯନ୍ତ୍ରଣା ଆଦି ସମସ୍ୟା ଦେଖାଯାଉଛି । ବଡ଼ କଥା ହେଉଛି, ଏହି ସମୟରେ ଭୋକାଲ ସମସ୍ୟା ଦେଖାଯାଉଛି । ଯାହାଦ୍ୱାରା ଗଳା ବସିବା ସହ ଲୋକଙ୍କର ସ୍ୱର ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହେଉଛି । ତେବେ କେମିତି କରିବେ ଏହାର ଉପଚାର?

– ଏଭଳି ସ୍ଥିତିରେ ଗଳାକୁ ବିଶ୍ରାମ ଦିଅନ୍ତୁ
– ବେଶୀ କଥାବାର୍ତ୍ତା ହୁଅନ୍ତୁ ନାହିଁ
– ମେଡିସିନ୍ ସହ ଉଷୁମ ପାଣି ବ୍ୟବହାର କରନ୍ତୁ
– ନାକ ବନ୍ଦ ହୋଇଗଲେ ଡ୍ରପ୍ ପକାନ୍ତୁ

ଅତ୍ୟଧିକ ଥଣ୍ଡାରୁ କିଛି ପିଲାଙ୍କର ଗାଲ୍ରୁଆ ବା ଗାଲ ଫୁଲିଥିବା ଦେଖିବାକୁ ମିଳିଛି । ଥଣ୍ଡା ଜନିତ ସମସ୍ୟା ଯୋଗୁଁ ଗାଲ ଫୁଲିଯିବା ସହ ଗଳା ଦରଜ ମଧ୍ୟ ହେଉଛି । ପିଲାଙ୍କ ମଧ୍ୟ ଏହି ସମସ୍ୟା ବେଶି ଦେଖିବାକୁ ମିଳୁଥିବାରୁ ପରିବାର ଗୁଡ଼ିକରେ ଚିନ୍ତା ବଢ଼ି ଯାଇଛି ।

ଏପଟେ ରାଜ୍ୟରେ ଜାରି ରହିଛି ଶୀତର ଲହରି । ଶୁକ୍ରବାର ଠାରୁ ପାଗ ପରିବର୍ତନ ହେବା ସହ ରାତି ତାପମାତ୍ରା ସାମାନ୍ୟ କମିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।