କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଟ୍ୱିଟର ଭିତରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ଶୀତଳ ଯୁଦ୍ଧ । ଏହି ଯୁଦ୍ଧ ବ୍ୟକ୍ତିଗତ ଟ୍ୱିଟର ଆକାଉଁଟ୍ରୁ ବ୍ଲ୍ୟୁଟିକ୍ ହଟାଇବାକୁ ନେଇ । ଶନିବାର ସକାଳୁ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ପ୍ରୋପାଇଲରୁ ବ୍ଲ୍ୟୁଟିକ୍ ଉଠାଇ ଦିଆଯାଇଥିଲା । ପରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲ୍ୟୁଟିକ୍ ହଟାଇଥିଲା ଟ୍ୱିଟର । ତେବେ ଭେଙ୍କୟା ନାଇଡୁଙ୍କ ଆକାଉଣ୍ଟ ଅନଧିକୃତ ହେବାର ୨ଘଂଟା ପରେ ପୁନଃ ଭେରିଫାଏଡକରି ଦିଆଯାଇଛି ।
ଶନିବାର ସକାଳୁ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଁଟ୍ରୁ ବ୍ଲ୍ୟୁଟିକ୍ ଭେରିଫାଏଡ୍ ବ୍ୟାଜକୁ ହଟାଇଦେଇଥିଲା ଟ୍ୱିଟର । ତେବେ ବିଜେପି ତରଫରୁ ଏହାକୁ ନେଇ ପ୍ରଶ୍ନ କରାଯିବାରୁ ୨ଘଂଟା ପରେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରେ ପୁନଃ ବ୍ଲ୍ୟୁଟିକ୍ ବ୍ୟାଜ୍ ଯୋଡି ଦିଆଯାଇଥିଲା । ହେଲେ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲ୍ୟୁଟିକ୍ ହଟାଇ ଦେଇଛି ଟ୍ୱିଟର । ଅର୍ଥାତ୍ ଭାଗବତଙ୍କ ଟ୍ୱିଟର ଆକାଉଂଟକୁ ଟୁଇଟର ଅନଭେରିଫାଏଡ କରିଦେଇଛି । କେବଳ ମୋହନ ଭାଗବତ ନୁହଁନ୍ତି, ଅରୁଣ କୁମାର, ସୁରେଶ ସୋନିଙ୍କ ଭଳି ଆରଏସଏସର ଅନ୍ୟ ୧୦ଜଣ ପ୍ରମୁଖ ନେତାଙ୍କ ଟ୍ୱିଟର ଆକାଉଂଟରୁ ବ୍ଲ୍ୟୁଟିକ୍ ହଟାଇ ଦେଇଛି ଟ୍ୱିଟର । ଯାହାକୁ ନେଇ ଟ୍ୱିଟର ଉପରେ କ୍ଷୋଭ ପ୍ରକାଶ କରିଛି ଆରଏସଏସ ।
ବ୍ଲୁଟିକ ହଟାଇବା ନେଇ ବିବାଦ ତେଜିବା ପରେ ଟ୍ୱିଟର ତରଫରୁ ସଫେଇ ଦିଆଯାଇଛି । ଏମାନଙ୍କ ଆକାଉଂଟ୍ ଦିର୍ଘ ଦିନ ଧରି ବ୍ୟବହାର ହୋଇ ନଥିବାରୁ ବ୍ଲୁଟିକ ହଟାଇଥିବା କହିଛି ଟ୍ୱିଟର । ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଂଟରେ ୧୩ ଲକ୍ଷ ଫଲୋଅର୍ସ ଥିବା ବେଳେ ଏଥିରେ ପାଖାପାଖି ୧ ବର୍ଷ ହେବ କୌଣସି ପୋଷ୍ଟ କରାଯାଇ ନାହିଁ । ସେହିପରି ମୋହନ ଭାଗବତଙ୍କ ଆକାଉଂଟରେ ୨ଲକ୍ଷ ୯ ହଜାର ଫଲୋଅର୍ସ ଥିବାବେଳେ, ଏହି ଆକାଉଂଟ୍ ଖୋଲା ହେବା ଦିନରୁ କୌଣସି ଟ୍ୱିଟ୍ କରାଯାଇ ନାହିଁ । ମୋହନ ଭାଗବତଙ୍କ ଆକାଉଂଟ୍ ଆକ୍ଟିଭ୍ ନରହିବାର କାରଣ ତାଙ୍କ ବାର୍ତା ଅନ୍ୟ ମାଧ୍ୟମରେ କର୍ମକର୍ତାଙ୍କ ପାଖରେ ପହଁଚାଯାଉଛି ।
ଅନ୍ୟପଟେ ଟ୍ୱିଟରର କାର୍ଯ୍ୟାନୁଷ୍ଠାନକୁ ନେଇ ଆରଏସଏସ ପ୍ରଶ୍ନ କରିଛି ‘ମୋହନ ଭାଗବତଙ୍କ ନାମରେ ଅନେକ ଫେକ୍ ଟୁଇଟର ଆକାଉଂଟ୍ ରହିଛି । ଯାହା ମୋହନ ଭାଗବତ କିମ୍ବା ସଂଘ ଦ୍ୱାରା ପରିଚାଳିତ ନୁହେଁ । ଅନ୍ୟ ମିଥ୍ୟା ଆକାଉଂଟ୍ରୁ ମୋହନ ଭାଗବତଙ୍କ ନାମ ବ୍ୟବହାର କରି କୌଣସି ପ୍ରକାର ଟ୍ୱିଟ୍ ଯେପରି ନ ହୁଏ ସେଥି ପାଇଁ ଟ୍ୱିଟର ଦାୟିତ୍ୱ ନେବ ନା ନାହିଁ ସ୍ପଷ୍ଟ କରିବା ଉଚିତ’ ।
ଟ୍ୱିଟରରେ ଥିବା ବ୍ଲ୍ୟୁଟିକ୍ର ଅର୍ଥ ଏହା ଏକ ଅଧିକୃତ ଆକାଉଂଟ । ଚଳିତ ବର୍ଷ ଜାନୁୟାରୀ ମାସରେ ଟ୍ୱିଟର ଘୋଷଣା କରିଥିବା ନୂଆ ନିୟମ ଅନୁସାରେ ସେ ଗଣମାଧ୍ୟମ ସଂସ୍ଥା, କମ୍ପାନୀ, ବ୍ରାଣ୍ଡ, ସାମ୍ବାଦିକ, ମନୋରଂଜନ ଏବଂ ଖେଳ ଜଗତର ପ୍ରମୁଖ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଂଟକୁ ଭେରିଫାଏଡ୍ କରିବା ପାଇଁ ବ୍ଲ୍ୟୁଟିକ୍ ବ୍ୟାଜ୍ ପ୍ରଦାନ କରିବ । କିନ୍ତୁ ଏହି ନିୟମାବଳୀର ଉଲ୍ଲଂଘନ କଲେ ଟ୍ୱିଟର ବ୍ଲ୍ୟୁଟିକ ୍ଉଠାଇ ନେବାର କ୍ଷମତା ମଧ୍ୟ ରଖିଛି ।