ମାଗଣା ଖାଦ୍ୟ ବଣ୍ଟନକୁ ନେଇ ସାଂସଦ ଓ ବିଏମସି ମଧ୍ୟରେ ଶୀତଳ ଯୁଦ୍ଧ । ରାସ୍ତାକଡ଼ରେ ମାଗଣା ଖାଦ୍ୟ ବଣ୍ଟନ ଉପରେ କଟକଣା ଜାରି କଲା ବିଏମସି ।

188

କନକ ବ୍ୟୁରୋ : ଗତ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ଲୋକର୍ପଣ ହୋଇଥିଲା । ୫ଟି ଅନୁଷ୍ଠାନର ସହଯୋଗରେ ଗଠିତ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଜରିଆରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟ ବୋଲି କହିଥିଲେ ଅପରାଜିତା । ପ୍ରଥମେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ।

ଅପରାଜିତାଙ୍କ ଏହି ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ବାଟରେ ଅନ୍ତରାୟ ସୃଷ୍ଟି କରିଛି ବିଏମସିର ନୂଆ ନିୟମ । କମିସନର କହିଛନ୍ତି, ବିଏମ୍ସିର ଅନୁମତି ନନେଇ ରାସ୍ତାକଡ଼ ଭିକ୍ଷାଜୀବୀଙ୍କୁ କେହି ଖାଦ୍ୟ କିମ୍ବା ବସ୍ତ୍ର ବଂଟନ କରିପାରିବେ ନାହିଁ ।

ବିଏମସିର ଯୁକ୍ତି ହେଉଛି, ଖାଦ୍ୟ, ବସ୍ତ୍ରର ବଂଟନ ଯୋଗୁଁ, ଭିକ୍ଷାଜୀବୀମାନେ ରାସ୍ତାକଡ଼ ଛାଡ଼ି, ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳୀରେ ରହିବାକୁ ଆଗ୍ରହ ଦେଖାଉନାହାନ୍ତି । ଯାହା ଭୁବନେଶ୍ୱର ସହରକୁ ଭିକ୍ଷାବୃତି ମୁକ୍ତ କରିବା ଅଭିଯାନରେ ବାଧା ସୃଷ୍ଟି କରୁଛି । ବିଏମସି କହିଛି, ବିନା ଅନୁମତିରେ ଯଦି କେହି ଖାଦ୍ୟ, ବସ୍ତ୍ର ବଂଟନ କରେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ ଅପରାଜିତା କହିଛନ୍ତି, ‘ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ମାଗଣା ନୁହେଁ । ଏଥିପାଇଁ ୧ ଟଙ୍କା ଧାର୍ଯ୍ୟ କରାଯାଉଛି । ତେଣୁ ଏହା ବିଏମ୍ସିର ନୂଆ ନିୟମ ଭିତରକୁ ଆସୁନାହିଁ ।’

ଭୋକିଲାଙ୍କୁ ମାଗଣା ଖାଦ୍ୟ ଯୋଗାଇବାକୁ ନେଇ ରାଜନୀତି ହେବା ବେଣ ପୁରୁଣା । ସରକାରଙ୍କ ଟଙ୍କିକିଆ ଚାଉଳ ଓ ୫ ଟଙ୍କିଆ ଆହାର ଯୋଜନାକୁ ନେଇ ବି ବାଦ ବିବାଦ ହୋଇଛି । ଏବେ ଆରମ୍ଭ ହୋଇଥିବା ଅପରାଜିତାଙ୍କ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ମଧ୍ୟ ରାଜନୀତି ଭିତରକୁ ଠେଲି ହୋଇଯାଇଛି ।