ପନିପରିବା ସାଇତି ରଖିବା ପାଇଁ ନାହିଁ ଶୀତଳ ଭଣ୍ଡାର । ବ୍ୟବସାୟୀଙ୍କୁ ପରିବା ବିକି କ୍ଷତି ସହୁଛନ୍ତି ସୁନ୍ଦରଗଡ ନୂଆଗାଁ ଅଂଚଳର ଚାଷୀ ।

138

କନକ ବ୍ୟୁରୋ: ଗୋଟିଏ ପଟେ ଜଳ ସେଚନ ସମସ୍ୟା ଅନ୍ୟପଟେ ଅମଳ ଫସଲ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ସମସ୍ୟା । ଏହାରି ଭିତରେ ପେଶି ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଅଂଚଳର ଚାଷୀ ।

ପରିବା ବିକ୍ରି ପାଇଁ ହଟହଟା ଚାଷୀ । ବଜାର ମାନ୍ଦା ସାଙ୍ଗକୁ ଦଲାଲର ରାଜୁତି ସୁନ୍ଦରଗଡ ଜିଲ୍ଲା ନୂଆଗାଁର ଚାଷୀଙ୍କୁ ଅଣନିଶ୍ୱାସୀ କରୁଛି । ନୂଆଗାଁର ୭୦ ଭାଗ ଚାଷୀ କରଜ କରି ଟମାଟୋ, କୋବି, କ୍ୟାପସିକମ୍, ଗ୍ରୀନ ମଟର ଭଳି ପରିବା ଚାଷ କରିଛନ୍ତି । ଆଉ ଏବେ ଅମଳ ଫସଲ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନଥିବାରୁ ଖୁବ୍ କମ ଦରରେ ବାହାର ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । କେତେକ ଚାଷୀ ଦଲାଲର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ଗତ ୧୫ ତାରିଖରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଂଚଳ ପରିଦର୍ଶନ କରିବା ପରେ ଚାଷୀଙ୍କ ସମସ୍ୟାକୁ ସ୍ୱୀକାର କରିଥିଲେ । ସେପଟେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ କହିଛନ୍ତି,ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଚାଷୀ ସଂଗଠନ କରାଯାଉ, ଚାଷୀଙ୍କୁ ଦଲାଲ କବଳରୁ ମୁକ୍ତ କରାଯାଉ । ହେଲେ ଏଯାଏଁ ଏ ସମସ୍ୟାର କୌଣସି ସମାଧାନ ହୋଇନି । ଚାଷୀ ଓ ଚାଷ ସଂପର୍କୀତ ସମସ୍ୟା କିଛି ନୂଆ ନୁହେଁ । ଧାନ ହେଉ ବା ପନିପରିବା, ଚାଷ ଆରମ୍ଭରୁ ଫସଲ ବିକ୍ରି ଯାଏଁ ସବୁ ବେଳେ ଓଡିଶାର ଚାଷୀ ସମସ୍ୟା ଭୋଗୁଛନ୍ତି । ତେବେ ସୁନ୍ଦରଗଡ ନୂଆଗାଁ ଚାଷୀଙ୍କ ସମସ୍ୟା କେବେ ସମାଧାନ ହେଉଛି, ତା ଉପରେ ସମସ୍ତଙ୍କ ନଜର ।