କନକ ବ୍ୟୁରୋ : ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଚାଷୀଙ୍କ କାମରେ ଆସୁନି ସରକାରୀ ଯୋଜନା । କେଉଁଠି ଜଳସେଚନକୁ ନେଇ ଚାଷୀ ଚିନ୍ତାରେ ପଡ଼ୁଛି ତ ପୁଣି କେଉଁଠି ଉତ୍ପାଦିତ ଫସଲ ସାଇତି ରଖିବା ପାଇଁ ଚାଷୀ ହନ୍ତସନ୍ତ ହେଉଛି । ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କ ପାଇଁ କରାଯାଇଥିବା ଏକ ଶୀତଳଭଣ୍ଡାର ଏବେ ଭୂତକୋଠିରେ ପରିଣତ ହେଲାଣି ।
ରାୟଗଡା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ନିକଟରେ ଥିବା ୫ ହଜାର ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଶୀତଳଭଣ୍ଡାର ଏବେ ଅକାମୀ ହୋଇପଡ଼ିଛି । ରକ୍ଷଣାବେକ୍ଷଣ ଅଭାବରୁ ଶୀତଳଭଣ୍ଡାର ଭିତରେ ଓ ବାହାରେ ସୃଷ୍ଟି ହେଲାଣି ଜଙ୍ଗଲ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଶୀତଳଭଣ୍ଡାରରେ ଥିବା ସମସ୍ତ ଶୀତତାପ ଯନ୍ତ୍ରପାତି ବ୍ୟବହାର ହେଉନଥିବାରୁ ଏହା ନଷ୍ଟ ହୋଇଗଲାଣି । ଚାଷୀଙ୍କ ଫଳ ଓ ପନିପରିବାକୁ ସଂଗୃହିତ କରି ଦୀର୍ଘ ଦିନ ଧରି ସଂରକ୍ଷିତ ରଖିବାର ଉଦ୍ଦେଶ୍ୟରେ ରାୟଗଡାରେ ନିର୍ମିତ ହୋଇଥିଲା ଶୀତଳଭଣ୍ଡାର । ହେଲେ ତାହାର ବାସ୍ତବତା ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳିଛି ।
ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ସପୁରି, ପଣସ, ଆମ୍ବ, ଶୀତାଫଳ , ବୋଇତାଳୁ, କଦଳୀ ଫସଲ କରୁଥିଲେ ମଧ୍ୟ ଏହାକୁ ସାଇତି ରଖିବା ପାଇଁ ଚାଷୀଙ୍କୁ ସୁବିଧା ମିଳିପାରୁନାହିଁ । ଫଳରେ ଉତ୍ପାଦିତ ଫସଲର ଲାଭ ନେଉଛନ୍ତି ବାହାର ରାଜ୍ୟର ବ୍ୟବସାୟୀ । ଚାଷୀମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ନଦେଇ କମ୍ ଦର ଦେଇ ବାହାର ରାଜ୍ୟକୁ ରପ୍ତାନି କରାଯାଉଛି । ପାଖାପାଖି ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶୀତଳଭଣ୍ଡାର ଏବେ ଭୂତ କୋଠିରେ ପରିଣତ ହେଲାଣି । ନିୟମଗିରି ସପୁରି, ପଣସ ଏବଂ କାଶୀପୁର ବ୍ଳକର ସ୍ୱାଦିଷ୍ଟ ଆମ୍ବ ଆଜି ଜାତୀୟ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଏସବୁକୁ ସାଇତି ରଖିବା ପାଇଁ ପ୍ରଶାସନ ଯେପରି ହାତ ଟେକି ଦେଇଥିବା ମନେ ହେଉଛି ।