କନକ ବ୍ୟୁରୋ: ପାଣିପାଗରେ ପରିବର୍ତନ ଯୋଗୁଁ ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡାଜର । ମୁଣ୍ଡବ୍ୟଥା ଓ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଛନ୍ତି ଆକ୍ରାନ୍ତ । ତେବେ ଏହି ଭାଇରାଲ ଜର ପ୍ରଭାବ ସାତରୁ ପନ୍ଦର ଦିନ ଯାଏ ରହିଥିବା ବେଳେ ଏଥିରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଅନେକ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଉଛନ୍ତି ।

Advertisment

ଦିନରେ ଗରମ । ରାତିରେ ଫ୍ୟାନ ଲଗାଇଲେ ଦେହ ଶୀତେଇ ଯାଉଛି । ନଲଗେଇଲେ ଶୋଇ ହେଉନାହିଁ । ପାଣିପାଗର ଏଭଳି ବିଚିତ୍ର ସ୍ଥିତି ଯୋଗୁଁ ଝାରସୁଗୁଡ଼ାରେ ଘରେ ଘରେ ଥଣ୍ଡାଜ୍ୱର ବ୍ୟାପୁଛି । ଛୋଟରୁ ବଡ଼ ସମସ୍ତଙ୍କୁ ଥଣ୍ଡାକାଶ! ଋତୁ ବଦଳୁଥିବାରୁ, ଲୋକଙ୍କୁ ଥଣ୍ଡାଜ୍ୱର ହେଉଛି । ଜ୍ୱର କମିବା ପରେ ଦୀର୍ଘଦିନ ଯାଏଁ କାଶ ଲାଗି ରହୁଛି । ଛାତିରେ ଯନ୍ତ୍ରଣା ହେଉଛି । ଗଳା ଦରଜ ପରି ସମସ୍ୟା ଭୋଗୁଛନ୍ତି ରୋଗୀ । ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇଲେ ମଧ୍ୟ କମୁ ନାହିଁ । ଏବେ ସାରା ଜିଲ୍ଲାରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ମାସେ ଦୁଇ ମାସ ହେଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ଲାଗୁଛି । ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଫେବ୍ରୁଆରୀ ମାସରେ ଓପିଡି ଏବଂ ଆଇପିଡିରେ ୪ ହଜାର ୧୪ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ । ସେହିଭଳି ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ୪୩୧୭ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ତେବେ ଥଣ୍ଡାଜ୍ୱର ପାଇଁ ବ୍ୟସ୍ତ ନହେଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ କୁହାଯାଇଛି । ପାଗ ପରିବର୍ତନ ରୋଗ ବ୍ୟାପିବାର ମୁଖ୍ୟ କାରଣ! ବୋଲି ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାର ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ହୃଷିକେଶ ନାୟକ କହିଛନ୍ତି ।

ଚଳିତ ବର୍ଷ ସ୍କ୍ରବଟାଇଫସ, ଡେଙ୍ଗୁ ଭଳି ସଂକ୍ରାମକ ରୋଗ ଆତଙ୍କ ଖେଳାଇଥିଲା । ଏବେ ପୁଣି ଥଣ୍ଡା. ଜ୍ୱାର ଓ କାଶ ଲୋକଙ୍କୁ ଚିନ୍ତାରେ ପକାଇଛି । ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବାକୁ ଡାକ୍ତର କହିଛନ୍ତି ।