‘ଶୀତ ବଢ଼ାଉଛି ହୃଦଘାତ’: ସାତ ଦିନରେ କାନପୁରରେ ୧୩୧ ଜଣଙ୍କ ମୃତ୍ୟୁ

374

କନକ ବ୍ୟୁରୋ: ରାଜ୍ୟର ଯେତେବେଳେ ଶୀତ ଲହରୀ ଜାରି ରହିଛି, ପ୍ରବଳ ଥଣ୍ଡା ଅନୁଭୁତ ହେଉଛି, କାଠୁଆ ଜାଡରେ ହାତ ଗୋଡ କମ୍ପି ଯାଉଛି, ସେତିକିବେଳେ ଉତରପ୍ରଦେଶର କାନପୁରରୁ ଆସିଛି ଚିନ୍ତାଜନକ ଖବର । ଶୀତ ଯୋଗୁଁ ବଢ଼ୁଛି ହୃଦଘାତ ସଂଖ୍ୟା । ପ୍ରବଳ ଥଣ୍ଡା ଯୋଗୁଁ ହେଉଥିବା ହୃଦଘାତରେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । କାନପୁରସ୍ଥିତ ଲକ୍ଷ୍ମୀପତ ସିଂହାନିଆ ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜିର ସୂଚନା ଅନୁସାରେ ସପ୍ତାହେ ଭିତରେ ଏଠାକୁ ୭୨୩ ହୃଦରୋଗୀ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧ଜଣଙ୍କର ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ମୃତ୍ୟୁ ହୋଇଯାଉଛି । କେବଳ ଶନିବାରଦିନ ୧୧ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏବେ ବି ହସ୍ପିଟାଲରେ ୬୦୪ ଜଣଙ୍କ ଚିକିତ୍ସା ଚାଲିଛି । ତେବେ କେବଳ ହୃଦଘାତ ନୁହେଁ କିଛି ଲୋକଙ୍କର ବ୍ରେନଷ୍ଟ୍ରୋକରେ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବିଶେଷକରି ବୟସ୍କ ଲୋକଙ୍କ କ୍ଷେତ୍ରରେ ହୃଦଘାତ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ଅତ୍ୟଧିକ ଥଣ୍ଡାକୁ ସେମାନେ ସହିପାରୁ ନାହାନ୍ତି । କିନ୍ତୁ ଲକ୍ଷେ୍ନøସ୍ଥିତ କିଙ୍ଗଜର୍ଜ ମେଡିକାଲ ୟୁନିଭର୍ସିଟିର କହିବା ଅନୁସାରେ ଯୁବବର୍ଗ ବି ହୃଦଘାତର ଶିକାର ହେଉଛନ୍ତି ।

ଥଣ୍ଡା ବଢ଼ିବା ପରେ ଅଧିକ ଲୋକ କାହିଁକି ହୃଦଘାତର ଶିକାର ହେଉଛନ୍ତି? ହୃଦରୋଗ ବିଶେଷଜ୍ଞଙ୍କ ମତରେ,..
– ଭୀଷଣ ଥଣ୍ଡା ଯୋଗୁ ଶୀରାପ୍ରଶୀରା ସଙ୍କୁଚିତ ହୋଇଯାଏ
– ଶୀରାପ୍ରଶୀରା ସଙ୍କୁଚିତ ହେବା ଫଳରେ ରକ୍ତ ପ୍ରବାହ ସ୍ୱାଭାବିକ ଭାବେ ହୋଇନଥାଏ
– ଶୀରାପ୍ରଶୀରା ସଙ୍କୁଚିତ ହେବା ଦ୍ୱାରା ରକ୍ତ ଚାପ ବଢିଯାଏ
– ଫଳରେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ
– କୋଭିଡ୍ ପରେ ଏହି ସମସ୍ୟା ଆହୁରି ବଢ଼ି ଯାଇଛି

କୋଭିଡ୍ ପରବର୍ତି ସମୟରେ ବିଶେଷ କରି ଥଣ୍ଡା ବଢ଼ୁଥିବାବେଳେ, ମୃତ୍ୟୁର କାରଣ ବନୁଥିବା ହୃଦଘାତରୁ କେମିତି ପାଇବେ ରକ୍ଷା । ସେନେଇ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି,

– ଛାତିରେ ଯନ୍ତ୍ରଣା ହେଲେ ହାଲୁକା ଭାବେ ନିଅନ୍ତୁ ନାହିଁ
– ଛାତିରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
– ଛାତିରେ ଯନ୍ତ୍ରଣା ଅନୁଭବ ହେଲେ ଇସିଜି କରାଇ ନିଅନ୍ତୁ
– ହୃଦ୍ରୋଗୀ ଅଧିକ ଥଣ୍ଡାରେ ସକାଳେ ବାହାରକୁ ନବାହାରିବା ଭଲ
– ରକ୍ତଚାପ ଓ ହୃଦ୍ରୋଗୀ ଅଧିକ ସତର୍କ ରହିବା ଉଚିତ୍
– ବ୍ଲଡ୍ ପ୍ରେସର ଓ ହାର୍ଟ ରୋଗୀ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
– ପୂର୍ବରୁ ନେଉଥିବା ଔଷଧ ସଂପର୍କରେ ଡାକ୍ତରଙ୍କ ସହ କଥା ହୁଅନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସନ୍ତୁଳିତ ଆହାର ଓ ଜୀବନ ଶୈଳୀ ହୃଦଘାତ ନିୟନ୍ତ୍ରଣର ପ୍ରମୁଖ ଉପାୟ ।