ଗଲବାନ ବୀର ସହିଦ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର । ପତ୍ନୀ ଏବଂ ମା’ଙ୍କୁ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

169

କନକ ବ୍ୟୁରୋ: ମହାବୀର ଚକ୍ରରେ ସମ୍ମାନିତ ହେଲେ ସହିଦ ସନ୍ତୋଷ ବାବୁ । ଗଲବାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ହିଂସାରେ ପ୍ରାଣବଳି ଦେଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ସମ୍ମାନଜନକ ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦ ସନ୍ତୋଷ ବାବୁଙ୍କ ସ୍ତ୍ରୀ ଓ ମାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଗତବର୍ଷ ଲଦାଖର ଗଲବାନ ଘାଟିରେ ଭାରତ ଓ ଚୀନ ସେନାର ଯବାନମାନେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷର କିଛି ଯବାନ ସହିଦ ମଧ୍ୟ ହୋଇଥିଲେ । ଶତ୍ରୁ ଦେଶର ଏହି ହିଂସାତ୍ମକ ଆକ୍ରମଣରେ ଭାରତୀୟ ସେନା ନିଜର ୨୦ ଜଣ ଯବାନଙ୍କୁ ହରାଇଥିଲା । ଏହା ମଧ୍ୟରେ ସାମିଲ ଥିଲେ ୧୬ ବିହାର ରେଜମେଣ୍ଟର କମାଣ୍ଟିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁ ।ତେବେ ଶତ୍ରୁଦେଶର ସୈନିକଙ୍କ ଆକ୍ରମଣରେ ସନ୍ତୋଷ ବାବୁ ପ୍ରାଣ ହରାଇଥିଲେ ମଧ୍ୟ, ଦେଶ ତାଙ୍କର ଏହି ବଳୀଦାନକୁ ଦେଶ ଭୁଲିପାରିନି । କେନ୍ଦ୍ର ସରକାର ସହିଦ ସନ୍ତୋଷ ବାବୁଙ୍କ ବୀରଚକ୍ର ସମ୍ମାନରେ ସମ୍ମାନିତ କରିବା ସହିତ ପାରା ସ୍ପେଶାଲ ଫୋର୍ସର ସୁବେଦାର ସଞ୍ଜୀବ କୁମାରଙ୍କୁ ମରଣୋତ୍ତର କିର୍ତ୍ତି ଚକ୍ରରେ ମଧ୍ୟ ସମ୍ମାନିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣେଲ ବିକୁମାଲା ସନ୍ତୋଷ ବାବୁଙ୍କ ଜନ୍ମ ୧୯୮୩ ମସିହା ଫେବୃଆରୀ ୧୩ ତାରିଖରେ ହାଇଦ୍ରାବାଦର ସୂର୍ଯ୍ୟପଟ୍ଟ ଗାଁରେ ହୋଇଥିଲା । ସେ ସୈନିକ ସ୍କୁଲରୁ ନିଜର ପାଠପଢା ଶେଷ କରିବା ପରେ ୨୦୦୦ ମସିହା ଡିସେମ୍ବର ୨୭ ତାରିଖରେ ନ୍ୟାସନାଲ ଡିଫେନ୍ସ ଏକାଡେମିରେ ସାମିଲ ହୋଇଥିଲେ । ଏହାପରେ ୨୦୦୪ ଡିସେମ୍ବର ୧୦ ତାରିଖରେ ସେ ଇଣ୍ଡିଆନ୍ ମିଲିଟ୍ରୀ ଏକାଡେମିରୁ ପାସ କରିବା ସହିତ ବିହାର ରେଜିମେଣ୍ଟରେ ସାମିଲ ହୋଇଥିଲେ । ଏହା ଭିତରେ ସେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କାମ କରିଦେଖାଇବା ସହିତ ଆଗକୁ ବଢିଚାଲିଥିଲେ । ତେବେ ଗତବର୍ଷ ଗଲବାନ ଘାଟିରେ ଘଟିଥିବା ହିଂସାତ୍ମକ ଆକ୍ରମଣରେ ସେ ପ୍ରାଣ ହରାଇବା ପରେ ତାଙ୍କୁ ମହାବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।