ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ: ଡିସେମ୍ବର ଆରମ୍ଭରୁ ୩ମାସ ପର୍ଯ୍ୟନ୍ତ ଲୋକେ ବଦଳାଇ ପାରିବେ କଏନ ସହ ଚିରଫଟା ନୋଟ୍

1,192

କନକ ବ୍ୟୁରୋ: ରାଜ୍ୟର ୩୧୪ ବ୍ଳକରେ ହେବ କଏନ ଏକ୍ସଚେଂଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବର ମାସରୁ ହେବ ଏହି କଏନ ଏକ୍ସଚେଂଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି । ଏବେ ପ୍ରଚଳନ ଥିବା ୫୦ ପଇସା ଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ହେବା ଦରକାର । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଆରବିଆଇର ଆଂଚଳିକ ନିର୍ଦ୍ଦେଶକ । ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ । ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ । ଯଦି ବ୍ୟାଙ୍କ କଏନ ନେବାକୁ ମନା କରୁଛି ଲୋକେ ଆରବିଆଇ ଆଂଚଳିକ କାର୍ଯ୍ୟାଳୟରେ ଥିବା ବ୍ୟାଙ୍କିଙ୍ଗ ଲୋକପାଳରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଆଂଚଳିକ ନିର୍ଦ୍ଦେଶକ ।