ଭୋକିଲା ଅଛନ୍ତି କି? ସ୍ନେହର ସହ ଏଠାରୁ ଖାଇବା ନେଇଯାଅ । କରୋନା ସମୟରେ ଲୋକଙ୍କୁ ମାଗଣା ବିରିୟାନି ଖୁଆଉଛନ୍ତି ଏହି ମହିଳା

106

ବୃଦ୍ଧି ପାଉଥିବା କରୋନାକୁ ଦେଖି ଲୋକମାନଙ୍କ ମନରେ ପୁଣିଥରେ ଭୟ ଉଙ୍କି ମାରିଲାଣି। ଲକଡାଉନ ହୋଇଗଲେ ପୁଣି କେହି ରୋଜଗାର ହରାଇବେନି ତ , ପୂର୍ବ ଭଳି ଲୋକାମାନେ ଖାଇବାକୁ ଡହଳବିକଳ ହେବ ନାହିଁ ତ? ଏମିତି ଅନେକ ଚିନ୍ତାରେ ଲୋକେ ପଡ଼ିଲେଣି। ଏହାରି ଭିତରେ ବି ଏମିତି କିଛି ଲୋକମାନେ ଅଛନ୍ତି ଯେଉଁମାନେ କରୋନା କାଳରେ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

ତାମିଲନାଡୁରେ ଜଣେ ମହିଳା ଏକ ବିରିୟାନିର ଠେଲା ଖୋଲିଛନ୍ତି । ଏହି ଠେଲା ସେହି ଲୋକମାନଙ୍କୁ ଖାଦ୍ୟ ଯୋଗାଉଛି ଯେଉଁ ଲୋକମାନଙ୍କ ପାଖରେ ଖାଦ୍ୟ ଖାଇବାକୁ ଟଙ୍କା ନାହିଁ । ରେଡିଓ ଜକି ଓ ଆକ୍ଟର ଆରଜେ ବାଲାଜୀ ଟୁଇଟରରେ ଲେଖିଛନ୍ତି, ପୁଲିଆକୁଲାମରେ ରାସ୍ତାପାର୍ଶ୍ବରେ ବିରିୟାନି ଠେଲା ବ୍ୟବସା୍ୟୀ ଭଲ କାମ କରୁଛନ୍ତି । ଏହି ଷ୍ଟଲକୁ ଜଣେ ମହିଳା ଚଲାଇ ଥାଆନ୍ତି । ସେ ନିଜ ଠେଲା ସାମ୍ନାରେ ଲେଖିଛନ୍ତି, ଯେଉଁମାନଙ୍କ ପାଖରେ ଖାଦ୍ୟ ଖାଇବାକୁ ଟଙ୍କା ନାହିଁ ସେମାନଙ୍କୁ ଏଠାରେ ମାଗଣା ଖାଦ୍ୟ ଖୁଆଯିବ । ଠେଲାରେ ଏକ ବୋର୍ଡ ଲାଗିଛି, ଯେଉଁଥିରେ ଲେଖା ହୋଇଛି , କ’ଣ ଆପଣ ଭୋକିଲା ଅଛନ୍ତି? ସ୍ନେହର ସହ ଏଠାରୁ ଖାଦ୍ୟ ନେଇ ଯାଆନ୍ତୁ । ଏହି ଖବରଟି ଲେଖାହେଲା ପର୍ଯ୍ୟନ୍ତ ଏହାକୁ ୨୪ହଜାରୁ ଅଧିକ ଲାଇକ୍ସ ମିଳି ସାରିଛି । ଏଥିସହିତ ୩୫୦୦ରୁ ଅଧିକ ରିଟୁଇଟ କରାଯାଇଛି । କରୋନା ମହମାରୀ ସମୟରେ ରେଜଗାର ହରାଇ ଖାଇବା ପାଇଁ ଆଉଟପାଉଟ ହେଉଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ଧନ୍ୟବାଦ ଜଣାଇଛନ୍ତି ।