କନକ ବ୍ୟୁରୋ : କୋରାପୁଟ ମହାଦେଇପୁଟ ଏକାଡେଲି ଗାଁରେ କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ତଥା କେଡିଏଫ୍ ପକ୍ଷରୁ ଖୋଲିଛି ସମନ୍ୱିତ କଫି ପ୍ରକ୍ରିୟାକରଣ ଓ ଷ୍ଟୋରେଜ୍ ୟୁନିଟ୍ । ଉପକୃତ ହେବେ ସ୍ଥାନୀୟ ଅଂଚଳର କଫି ଚାଷୀ । ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବା ପରେ କଫି ଚାଷୀଙ୍କ ମଧ୍ୟରେ ଖୁସିଲ ଲହରି ।

Advertisment

ସାରା ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ । ଚାଷୀଙ୍କ ସୁବିଧାକୁ ନଜରରେ ରଖି କୋରାପୁଟ ବ୍ଲକ୍ ଅନ୍ତର୍ଗତ ମହାଦେଇପୁଟ ଏକାଡେଲି ଗାଁରେ ଖୋଲିଛି ପ୍ରକ୍ରିୟାକରଣ ୟୁନିଟ୍ । କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ ତଥା କେଡିଏଫ ପକ୍ଷରୁ ସମନ୍ୱିତ କଫି ପ୍ରକ୍ରିୟାକରଣ ୟୁନିଟ୍ ଓ ଷ୍ଟୋରେଜ୍ ୟୁନିଟ ଲୋକାର୍ପଣ କରାଯାଇଛି । ଏହା ଦ୍ୱାରା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଳାର ହଜାର ହଜାର ଚାଷୀ ଉପକୃତ ହୋଇପାରିବେ । ଅଭାବୀ ବିକ୍ରିର ଶିକାର ହେବେ ନାହିଁ ଚାଷୀ । ଏହା ସହ ଚାଷୀ ରାଜ୍ୟ ବାହାରକୁ ଯାଇ ଯେଉଁ ଖର୍ଚ୍ଚାନ୍ତ ହେଉଥିଲେ ତାହା ମଧ୍ୟ ହେବ ନାହିଁ । ପ୍ରାୟ ଅଢେଇ ଏକର ଜମିରେ ଏହି ପ୍ରକିୟାକରଣ ଓ ଷ୍ଟୋରେଜ ୟୁନିଟ୍ ଆରମ୍ଭ କରାଯାଇଛି । ଏଠାରେ ଲାଗିଥିବା ପ୍ରକିୟାକରଣ ମେସିନ୍ ପ୍ରତି ଘଂଟାରେ ୨୫୦ କେଜି କଫି ମଂଜିକୁ ପ୍ରକ୍ରିୟାକରଣ ଓ ବର୍ଗୀକରଣ କରିପାରିବ । ୧୨ ଘଂଟାରେ ଦେଢ ଟନରୁ ଅଧିକ କଫି ପ୍ରକିୟାକରଣ ହୋଇପାରିବ । ଏଥିପାଇଁ କେରଳରୁ ଆସିଥିବା ଏକ ବୈଷୟିକ ଟିମ୍ ୟୁନିଟରେ ନିୟାଜିତ ଥିବା ମାନବ ସମ୍ବଳକୁ ତାଲିମ ଦେବେ । ବର୍ଷକୁ କୋରାପୁଟରୁ ଯେତିକି କଫି ଉତ୍ପାଦନ ହେଉଛି ତା’ଠାରୁ ଅଧିକ କଫି ପ୍ରକ୍ରିୟାକରଣ କରାଯାଇ ବିଶ୍ୱ ବଜାରକୁ ଛଡ଼ାଯାଇପାରିବ ।

କୋରାପୁଟ ଜିଲ୍ଲାରେ ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବା ଦ୍ୱାରା ଚାଷୀଙ୍କ କଫି ମଂଜି ଆଉ ବାହାର ରାଜ୍ୟକୁ ଯିବ ନାହିଁ । ନିଜ ଉତ୍ପାଦିତ କଫିକୁ ନିଜ ଅଂଚଳରେ ବିକ୍ରି କରିବା ସହ ଉଚିତ୍ ମୁଲ୍ୟ ପାଇବା ନେଇ ଆଶା ରଖିଛନ୍ତି ଚାଷୀ । ଏହି ପ୍ରକ୍ରିୟାକରଣ ୟୁନିଟ୍ ଖୋଲିବା ପରେ କଫି ଚାଷୀଙ୍କ ମଧ୍ୟରେ ଖୁସିଲ ଲହରି ଦେଖାଦେଇଛି ।  କୋରାପୁଟ କଫିକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ଏଭଳି ପ୍ରୟାସକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।