ସଢ଼େଇରୁ ତିଆରି ହେଉଛି ଘରସଜା ଜିନିଷ । ଚାଲିବାରେ ଅସୁବିଧା ସତ୍ୱେ ନିଜ ପରିଶ୍ରମରେ ହୋଇପାରିଛନ୍ତି ଆତ୍ମନିର୍ଭର

105

କନକ ବ୍ୟୁରୋ: ମଣିଷ ହେଉଛି ସୃଷ୍ଟିକର୍ତାଙ୍କ ଶ୍ରେଷ୍ଠ ଅବଦାନ, ଏହି ମଣିଷ ଯେ ନିଜ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ ନିଜକୁ ସବୁବେଳେ ଏକ ଭିନ୍ନ ଢଙ୍ଗରେ ପରିଚିତ କରିଥାଏ । ଠିକ ସେଭଳି ଏକ ବ୍ୟକ୍ତିତ୍ୱ ହେଉଛନ୍ତି ସବ୍ୟସାଚୀ, ସେ ନିଜର ପ୍ରଚେଷ୍ଟାରେ ବିନା କୌଣସି ତାଲିମରେ ଘରେ ବସି ଫିଙ୍ଗା ଯାଉଥିବା ନଡିଆ ସେଢଇରେ ତିଆରି କରୁଛନ୍ତି ଭଳିକି ଭଳି ଘରସଜା ଜୀନିଷ ।

ବଲାଙ୍ଗିର ଜିଲ୍ଲା ପୁଇଁତଲା ଗାଁର ସବ୍ୟସାଚୀ । ଯୁକ୍ତ ଦୁଇ ପରେ ସେ ହୋଟେଲ ମ୍ୟାନେଜମେଂଟ ପାଠ ପଢି କଲିକତାରେ ତାଲିମ ନେଉଥିଲେ । ହେଲେ ସ୍ୱାସ୍ଥ୍ୟ ବିଗିଡିବାରୁୁ ଘରକୁ ଫେରିଆସିଲେ । ଆଉ ଘରେ ବେକାର ନ ବସି ଦେଶୀ କୁକୁଡାର ବ୍ୟବସାୟ କରିବା ଆରମ୍ଭ କଲେ । ଏଥିସହ ୟୁଟ୍ୟୁବରୁ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ନଡିଆ ସଢେଇକୁ ଆଣି ତାକୁ କାଟି ବିଭିନ୍ନ ଆକୃତି ଦେଇ ଘର ସାଜସଜ୍ଜା ଓ ବ୍ୟବହାର କଲା ଭଳି କପ , ଖେଳଣା , ଜାହାଜ ଆଦି ତିଆରି କରି ଅନଲାଇନରେ ବିକ୍ରି ମଧ୍ୟ କରୁଛନ୍ତି । ଆଉ ଏଥିପାଇଁ ତାଙ୍କ ପରିବାର ଲୋକ ମଧ୍ୟ ବେଶ ଖୁସି ଅଛନ୍ତି ।

ପିଲା ଦିନରୁ ଚାଲିବାରେ ସ୍ୱାଭାବିକ ନ ଥିବା ସବ୍ୟସାଚୀ ମା ବାପାଙ୍କ ବଡ ପୁଅ । ଶାରୀରିକ ଅକ୍ଷମ ଥାଇ ସୁଧା ସେ ନିଜ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ ରୋଜଗାରକ୍ଷମ ହେବା ସହ ବାପାଙ୍କ ବ୍ୟବସାୟରେ ମଧ୍ୟ ସାହଯ୍ୟ କରୁଛନ୍ତି ଆଉ ଏଥିପାଇଁ ତାଙ୍କ ପରିବାର ଲୋକ ବେଶ୍ ଖୁସି । ସବ୍ୟସାଚୀ ଯେ କେବଳ ନଡିଆ ସଢେଇରେ କାରୁ କାର୍ଯ୍ୟ କରି ତାକୁ ବିକ୍ରି କରୁଛନ୍ତି ତା ନୁହଁ ବରଂ ସେ ବିଭିନ୍ନ ଫଳ ଓ ପନି ପରବାରେ ମଧ୍ୟ କ୍ରାଫ୍ଟ କରିବାରେ ପାରଙ୍ଗମ ଅଟନ୍ତି ।

ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର କୌଣସି ଶାରୀରିକ ଅକ୍ଷମତା ପାଇଁ ନିଜକୁ ଅକ୍ଷମ ବୋଲି ଭାବିନିଅନ୍ତି । ମାତ୍ର ସବ୍ୟସାଚୀଙ୍କ ଭଳି ବ୍ୟକ୍ତି ସେହି ସମସ୍ତଙ୍କ ପାଇଁ ଉଦାହରଣ ଯେଉଁମାନେ ନିଜକୁ କୌଣସି କାମ କରିବାକୁ ସକ୍ଷମ ବୋଲି ଭାବୁ ନାହାନ୍ତି ।