ନଡ଼ିଆ କତାରୁ ସୁନ୍ଦର ସାମଗ୍ରୀ । କଣ୍ଢେଇ, ହାତୀ, ଘୋଡ଼ା, ଗଛ ଓ ଠାକୁରଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି ଭୋଗରାଇ ଆକାନ୍ଦି ଗାଁର ୩୦ ଜଣ ମହିଳା

51

କନକ ବ୍ୟୁରୋ : କ୍ଷୁଦ୍ର ଶୀଳ୍ପ ମାଧ୍ୟମରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରନ୍ତି ତା’ର ଉଦାହରଣ ପାଲଟିଛନ୍ତି ଭୋଗରାଇ ବାରବାଟିଆ ପଂଚାୟତ ଆକାନ୍ଦି ଗାଁର ମହିଳା । ଏହି ଗାଁର ମହିଳା ମାନେ ନଡ଼ିଆ କତାକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଗୃହ ଉପକରଣ ପ୍ରସ୍ତୁତ କରୁଛନ୍ତି । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଘରକାମରୁ ଟିକିଏ ଫୁରସତ ମିଳିଲେ ନଡ଼ିଆ କତାରୁ ବିଭିନ୍ନ ମେସିନ୍ ସାହାଯ୍ୟରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରନ୍ତି । ଏଥିପାଇଁ ମିଶନ ଶକ୍ତି ଓ ଓରମାସ ଦ୍ୱାରା ମହିଳାଙ୍କୁ ତାଲିମ ସହ ପ୍ରୋତ୍ସାହନ ଯୋଗାଇଦିଆଯାଇଛି । ଫଳରେ ଗାଁ ମହିଳା ମାନେ ଏହି କାମ କରିବାରେ ସଫଳ ହୋଇପାରିଛନ୍ତି । ଏହି କାମ ପାଇଁ ପ୍ରଥମେ ନଡ଼ିଆ କତାକୁ ଶୁଖାଇ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ସେଥିରୁ ଏହି ସମଗ୍ରୀ ପ୍ରସ୍ତୁତ କରୁଛନ୍ତି । କରିଡ଼ର ମ୍ୟାଟ୍, ମେସମେଟ୍, ଫାଇବର ମ୍ୟାଟ୍, ରଶି ଆଦି ଉପକରଣ ତିଆରି କରୁଛନ୍ତି । ଏହା ସହ ବିଭିନ୍ନ ପ୍ରକାରର କଣ୍ଢେଇ, ହାତୀ, ଘୋଡ଼ା, ଗଛ ଓ ଠାକୁରଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି ମହିଳା ।

ମହିଳା ମାନେ ଏହି କାମ ପାଇଁ ୩ ମାସିଆ ତାଲିମ ନେଇଛନ୍ତି । ପ୍ରାୟ ୮ ବର୍ଷ ହେଲା ଏହି କାମ କରୁଛନ୍ତି । ୨୦୧୬ରେ ୩୦ ଜଣ ମହିଳା ମିଶି ମାତୃଶକ୍ତି ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ପ୍ରତେକ ମହିଳା ମାନେ ୫୦୦ ଟଙ୍କା ଲେଖାଏଁ ଜମା କରିବା ପରେ ସେମାନଙ୍କୁ ଜିପିଏଲଏଫରୁ ୫୦ ହଜାର ଟଙ୍କା ରୁଣ ମିଳିଥିଲା । ଏବେ ୮ ବର୍ଷ ପରେ ଗ୍ରୁପର ରୋଜଗାର ୧୦ ଲକ୍ଷ ଟଙ୍କାରେ ପହଂଚିଲାଣି । ଆଉ ଏଥିରେ କାମ କରୁଥିବା ସମସ୍ତ ମହିଳା କିଛି ରୋଜଗାର କଲେଣି । ଯାହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିଛି ।

ଏବେ ମହିଳା ମାନେ ନିଜ ଖର୍ଚ୍ଚ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ ତୁଲାଉଛନ୍ତି । ମହିଳାଙ୍କ ହାତ ତିଆରି ସାମଗ୍ରୀର ପ୍ରଚାର ପ୍ରସାର ହେବା ପରେ ଚାହିଦା ମଧ୍ୟ ବଢ଼ିଛି । ବ୍ୟବସାୟୀ ମାନଙ୍କ ଦ୍ୱାରା ନିକଟସ୍ଥ ପଶ୍ଚିମବଙ୍ଗ ବଜାରରେ ବିକ୍ରି କରିବା ସହ ଆଖପାଖ ଅଂଚଳରେ ବିକ୍ରି କରାଯାଉଛି ।