ଅକ୍ସିଜେନ ପାଇପରେ ଫସିଲା ଅସରପା ! ଡାକ୍ତରଙ୍କ ଦାୟିତ୍ୱହୀନତା ନେଇଗଲା ରୋଗୀର ଜୀବନ ।

95

ସରକାରୀ ଏବଂ ବେସରକାରୀ ହସ୍ପିଟାଲ ଗୁଡିକରେ ଦାୟିତ୍ୱହୀନତା ପାଇଁ ଅନେକ ରୋଗୀମାନଙ୍କର ଜାବନ ଚାଲିଯାଇଥାଏ । ଏମିତି ଏକ ଘଟଣା ନାସିକର ଆଡଗାଓଁ ମରାଠା ବିଦ୍ୟା ପ୍ରସାରକ ସମାଜ ହସ୍ପିଟାଲରେ ଦେଖିବାକୁ ମିଳିଛି । ଏଠାରେ ଭେଣ୍ଟିଲେଟରେ ଥିବା ଜଣେ ରୋଗୀଙ୍କର ଅକ୍ସିଜେନ ପାଇପରେ ଅସରପା ଫସିଯିବା କାରଣକୁ ତାଙ୍କର ମୃତ୍ୟୁ ହୋଇଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ୫ଦିନ ପୂର୍ବରୁ ୪୨ ବର୍ଷୀୟ ଅଞ୍ଜଳୀ ବୈରାଗୀ ବିଷ ପିଇ ଦେଇଥିଲେ । ଆଉ ଏହା ପରେ ତାଙ୍କୁ ମରାଠା ବିଦ୍ୟା ପ୍ରସାରକ ସମାଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ତେବେ ସୋମବାର ରାତିରେ ହଠାତ ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଯାଇଥିଲା । ଏହା ପରେ ଡାକ୍ତର ରୋଗୀଙ୍କ ପୁଅକୁ ସଙ୍ଗେ ସଙ୍ଗେ ମେଡିସିନ ଆଣିବା ପାଇଁ ପଠାଇଥିଲେ । ଆଉ ଯେତେବେଳେ ତାଙ୍କ ପୁଅ ମେଡିସିନ ଆଣି ଫେରିଥିଲେ, ସେତେବେଳେ ଡାକ୍ତର କହିଥିଲେ ଯେ, ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଯେତେବେଳେ ଅଞ୍ଜଳୀଙ୍କ ସମ୍ପର୍କୀୟ ଭେଣ୍ଟିଲେଟର ପାଖରେ ପହଞ୍ଚିଥିଲେ , ସେତେବେଳେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଦେଖିଥିଲେ ଯେ, ଅଞ୍ଜଳୀଙ୍କ ଠାରେ ଲାଗିଥିବା ଅକ୍ସିଜେନ ପାଇପରେ ଏକ ଅସରପା ଫସି ହୋଇରହିଛି । ତେବେ ସମ୍ପର୍କୀୟଙ୍କ କହିବା କଥା ଯେତେବେଳେ ଏହି ଘଟଣାକୁ ନେଇ ସେମାନେ ଡାକ୍ତରଙ୍କୁ ପଚାରିଥିଲେ ସେତେବେଳେ ଡାକ୍ତର କୌଣସି ଉତ୍ତର ଦେଇପାରିନଥିଲେ ।

ଆଉ ଏହାରି ମଧ୍ୟରେ ଅଞ୍ଜଳୀ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଦେଇଥିଲେ । ତେବେ ଅଞ୍ଜଳୀ ବାରମ୍ବାର ଅକ୍ସିଜେନ ନେବାରେ କଷ୍ଟ ଅନୁଭବ କରୁଥିଲେ ମଧ୍ୟ ଡାକ୍ତର ଏହାକୁ ଅଣଦେଖା କରୁଥିଲେ ବୋଲି ଅଞ୍ଜଳୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଏହା ସହ ଡାକ୍ତର ଏବଂ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପର୍କୀୟମାନେ ଦାବି କରିଛନ୍ତି ।