ରେଷ୍ଟୁରାଣ୍ଟରେ ଗୁଲାବ ଜାମୁନ ପ୍ଲେଟରେ ମରିପଡିଥିଲା ଅସରପା, ଗ୍ରାହକଙ୍କୁ ୫୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ ଉପଭୋକ୍ତା କୋର୍ଟ ।

150

କନକ ବ୍ୟୁରୋ :  ସାଧାରଣତଃ ସଫା ସୁତୁରା ସ୍ଥାନରେ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଯେଉଁଥିପାଇଁ ବଡ ବଡ ରେଷ୍ଟୁରାଣ୍ଟକୁ ଲୋକେ ଯାଇଥାନ୍ତି । କାରଣ ବଡ ବଡ ରେଷ୍ଟୁରାଣ୍ଟରେ ଖାଦ୍ୟର ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଗ୍ରାହକଙ୍କୁ କିଭଳି ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଖାଇବାକୁ ପରଷାଯିବ ତାହା ଉପରେ ଅଧିକାଂଶ ରେଷ୍ଟୁରାଣ୍ଟ ଗୁରୁତ୍ୱ ଦେଇଥାନ୍ତି । କିନ୍ତୁ ବାଙ୍ଗାଲୋରରେ ଏକ ରେଷ୍ଟୁରାଣ୍ଟରେ ଗୁଲାବ ଜାମୁନ ପ୍ଲେଟରେ ମୃତ ଅସରପା ମିଳିବା କାରଣରୁ ରେଷ୍ଟୁରାଣ୍ଟକୁ ବଡ ମୂଲ୍ୟ ଦେବାକୁ ପଡିଛି । ଗ୍ରାହକଙ୍କ ଅଭିଯୋଗ ପରେ ରେଷ୍ଟୁରାଣ୍ଟକୁ ୫୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୧୬ ମସିହାରେ ଗାନ୍ଧୀନଗରରେ ଥିବା କାମଥ ହୋଟେଲରେ ରାଜନ୍ନା ନାମକ ବ୍ୟକ୍ତି ଗୁଲାବ ଜାମୁନ ଅର୍ଡର କରିଥିଲେ । ଅର୍ଡର ମିଳିବା ପରେ ହୋଟେଲ ପକ୍ଷରୁ ତାଙ୍କୁ ଏକ ପ୍ଲେଟରେ ଗୁଲାବ ଜାମୁନ ଦିଆଯାଇଥିଲା । ତେବେ ହଠାତ ଏହି ଗୁଲାବ ଜାମୁନ ଭିତରେ ଏକ ମରିଥିବା ଅସରପା ଭାସୁଥିବାର ଦେଖିବାକୁ ପାଇଥିଲେ ରାଜନ୍ନା । ପେଶାରେ ଓକିଲ ଥିବା ରାଜନ୍ନା ସଙ୍ଗେ ସଙ୍ଗେ ଏହାର ଫଟୋ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ରେଷ୍ଟୁରାଣ୍ଟର କର୍ମଚାରୀ ତାଙ୍କ ଉପରେ ଆକ୍ରମଣ କରି ମୋବାଇଲ ଛଡାଇବାକୁ ଉଦ୍ୟମ କରିଥିଲେ ।

ଏହି ଘଟଣାକୁ ନେଇ ରାଜନ୍ନା ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ଖାଉଟି ଫୋରମରେ ମାମଲା ଦାୟର କରିଥିଲେ । ଆଉ ଏହାପରେ ଉକ୍ତ ରେଷ୍ଟୁରାଣ୍ଟକୁ ନୋଟିସ ପଠାଯାଇଥିଲା । କିନ୍ତୁ ଲଗାତାର ୨ ବର୍ଷ ହେବ କୌଣସି ନୋଟିସର ଜବାବ ଦେଇନଥିଲେ ରେଷ୍ଟୁରାଣ୍ଟ ମାଲିକ । ଆଉ ରେଷ୍ଟୁରାଣ୍ଟ ମାଲିକଙ୍କ ଏଭଳି ଆଭିମୁଖ୍ୟ ଦେଖି ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇ ନଦେବା କାରଣରୁ ରାଜନ୍ନାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଭଳି ନିର୍ଦ୍ଦେଶ ମିଳିବା ପରେ କାମଥ ହୋଟେଲ କର୍ଣ୍ଣାଟକ ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗରେ ଅପିଲ କରିଛି । କାମଥ ହୋଟେଲ ପକ୍ଷରୁ କୁହାଯାଇଛି ଯେ, ଏ ମାମଲା ବାବଦରେ କୌଣସି ସୂଚନା ଏଯାଏଁ ମିଳିପାରିନାହିଁ । ଏପରିିକି ରେଷ୍ଟୁରାଣ୍ଟର କୌଣସି ସଦସ୍ୟ ରାଜନ୍ନାଙ୍କୁ ମାରପିଟ୍ କରିନଥିବା କହିଛନ୍ତି ମାଲିକ । ତେବେ ରେଷ୍ଟୁରାଣ୍ଟ ପକ୍ଷରୁ ରଖାଯାଇଥିବା ଉତ୍ତରକୁ ଗ୍ରହଣ ନ କରାଯିବା ସହ ତୁରନ୍ତ କ୍ଷତିପୂରଣ ବାବଦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।