ରାଜଧାନୀରେ କାୟା ମେଲାଇଲାଣି କୋକେନ୍ । ଦାମୀ ନିଶା ପଛରେ ପାଗଳ ପରି ପଡ଼ିଛନ୍ତି ଯୁବପିଢୀ ।

135

କନକ ବ୍ୟୁରୋ : କୋକେନ କବଳରେ ରାଜଧାନୀ ଯୁବପୀଢି । ଭୁବନେଶ୍ୱରରେ କୋକେନ ଭଳି ବିଦେଶୀ ନିଶାର ମୋହରେ ପଡିଛନ୍ତି ରାଜଧାନୀର ଯୁବକ । ସାଲିଆ ସାହିରୁ ଏସଟିଏଫ୍ ୨୦୨ ଗ୍ରାମର କୋକେନ ଜବତ କରିବା ସହ ରାଜସ୍ଥାନର ୨ ବେପାରୀଙ୍କୁ ବାନ୍ଧିଛି । କୋକେନ କେଉଁଠୁ ଓଡିଶାକୁ ଆସୁଛି, ରାଜ୍ୟର ଅନ୍ୟ କେଉଁ ସ୍ଥାନରେ ଏହାର ବେପାର ଆରମ୍ଭ ହେଲାଣି, ଏହି ନିଶା କାରବାରର ରାକେଟକୁ ରୋକିବା କମିସନରେଟ ପୁଲିସ ପାଇଁ ବଡ ଚାଲେଞ୍ଜ ପାଲଟିଛି ।

ଇଏ ଏମିତି ଏକ ନିଶା, ଯାହା ପଛରେ ପାଗଳ ଭଳି ପଡିଛନ୍ତି ଯୁବଗୋଷ୍ଠୀ । ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ଚାଲିଛି କୋକେନ୍ । ଯାହାର ଦାମ ୧ ଗ୍ରାମକୁ ୫ ହଜାର ଟଙ୍କାରୁ ଅଧିକ । ତେବେ ଏହି ଦାମୀ ନିଶା ସେବନ ପାଇଁ ପଛାଉନାହାନ୍ତି ଯୁବପିଢ଼ି । ଏପରିକି ୨-୩ ଦିନ ତଳେ ସାଲିଆସାହି ଅଞ୍ଚଳର ଜଣେ ଯୁବକ ନିଜ ବାଇକକୁ ବିକି ଦେଇଥିବା କହିଛନ୍ତି ସ୍ଥାନୀୟ ଲୋକ ।

ବ୍ରାଉନସୁଗାର ପରେ କୋକେନ୍ କାରବାର । ଦିଲ୍ଲୀରୁ ସାଲିଆସାହି ପର୍ଯ୍ୟନ୍ତ ଲମ୍ବିଛି ଚେର । ବ୍ରାଉନସୁଗାର କାରବାରକୁ ନେଇ ଚିନ୍ତା ବଢୁଥିବା ବେଳେ ଭୁବନେଶ୍ୱର ସାଲିଆସାହିରୁ ଏସଟିଏଫ୍ ୨୦୨ ଗ୍ରାମର କୋକେନ ଜବତ କରିବା ପରେ ଏହି ନେଟୱର୍କକୁ କିପରି ରୋକାଯାଇ ପାରିବ କମିସନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

କିପରି ଓଡ଼ିଶା ଆସୁଛି କୋକେନ୍ ? ବିଦେଶୀ ନିଶା କାରବାର ପଛରେ ରହିଛି କି ବଡ଼ ର୍ୟାକେଟ୍ ? ରାଜଧାନୀରୁ ପ୍ରଥମ ଥର ପାଇଁ କୋକେନ୍ ଜବତ କରିବା ସହ ୨ ଜଣ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନେ ହେଲେ ରାଜସ୍ଥାନର ରବି ସିଂ ଓ ସନ୍ନି କୁମାର । ଏମାନେ କିଛି ଦିନ ହେଲା ସାଲିଆସାହିରେ ଆସ୍ଥାନ ଜମାଇଥିଲେ । ତେବେ କେତେ ପରିମାଣର କୋକେନ୍ ଓଡ଼ିଶାର କେଉଁ କେଉଁ ସ୍ଥାନରେ ପହଞ୍ଚିଛି, ତା’ର ପୂରା ତଥ୍ୟ ମିଳି ପାରିନାହିଁ ।

ରାଜ୍ୟରେ ପ୍ରଥମ ଥର ପାଇଁ କୋକେନ ଜବତ ହେବା ପରେ ତନାଘନା ଆରମ୍ଭ କରିଛି ଏସଟିଏଫ୍ । କେତେଦିନ ହେଲା ଏହି କାରବାର ହେଲାଣି, କେତେ ଲୋକ ଏହା କବଳରେ ପଡ଼ିଛନ୍ତି ଏବଂ ରାଜ୍ୟରେ ଏହାର ଚେର କେତେ ଗଭୀରକୁ ଗଲାଣି, ଜାଣିବାକୁ ଉଦ୍ୟମ କରାଯାଉଛି । ଗିରଫ ହୋଇଥିବା ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ଏହି ର୍ୟାକେଟର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରିବ ଏସଟିଏଫ୍ ।

କୋକେନ ନିଶା ଅତ୍ୟନ୍ତ ମାରାତ୍ମକ । ଥରେ ଏହି ନିଶା କବଳରେ ପଡ଼ିଗଲେ ବାହାରିବା ମୁସ୍କିଲ । କାରଣ ଏହାକୁ ସେବନ କରୁଥିବା ବ୍ୟକ୍ତିର ମସ୍ତିସ୍କ ସଂପୂର୍ଣ୍ଣ ଭାବେ ଏହାର ଅଧୀନ ହୋଇଯାଏ । ଯୁବପିଢ଼ିର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଏ । ନଜର ପକାନ୍ତୁ, କୋକେନ ସେବନ କଲେ କି କି ସମସ୍ୟା ସୃଷ୍ଟି ହୁଏ ।

କୋକେନ୍ ସେବନ
ସାମୟିକ ଉନ୍ମାଦନା ସୃଷ୍ଟି କରେ
କ୍ରମେ ସ୍ନାୟୁକୁ ଦୁର୍ବଳ କରିଦିଏ
କଥା କଥାରେ ରାଗ ପଞ୍ଚମକୁ ଉଠିଯାଏ
ବିରକ୍ତି ଭାବ ବଢ଼େ
ଭୋକ କମାଇଦିଏ
ହୃଦଘାତ ଆଶଙ୍କା ବଢ଼ିଯାଏ
ଫୁସଫୁସକୁ ନଷ୍ଟ କରିଦିଏ
ଘ୍ରାଣ ଶକ୍ତି ନଷ୍ଟ କରିବା ସହ ନାକରୁ ରକ୍ତ ବାହାରେ
ଅକାଳ ବାର୍ଦ୍ଧକ୍ୟ ଓ ଅକାଳ ମୃତ୍ୟୁର କାରଣ ପାଲଟେ