ଉପକୂଳ ଓଡ଼ିଶାରେ ନିଅଣ୍ଟିଆ ବର୍ଷା : ୨୦ ଜିଲ୍ଲାରେ ସ୍ୱାଭାବିକ, ୯ ଜିଲ୍ଲାରେ ବର୍ଷା କମିଛି

Advertisment
ଲଘୁଚାପ ପ୍ରଭାବ, ଆଉ ୨୪ ଘଣ୍ଟା ବର୍ଷା : ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ :  ଉପକୂଳ ଓଡ଼ିଶା ଚାଷୀଙ୍କ ଚିନ୍ତା ବଢ଼ାଉଛି ନିଅଣ୍ଟିଆ ବର୍ଷା। ଖୋର୍ଧା, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ବର୍ଷା ପରିମାଣ କମିଛି। ଜୁନ୍‌ ପହିଲାରୁ ଜୁଲାଇ ୨୨ ମଧ୍ୟରେ ଯେତିକି ବର୍ଷା ହେବା କଥା ତା’ଠାରୁ ବହୁତ କମ୍‌ ହୋଇଛି। ବିଶେଷକରି ପୁରୀ ଓ ଖୋର୍ଧା ଜିଲ୍ଲାର ନିଅଣ୍ଟିଆ ବର୍ଷା ମରୁଡ଼ି ଆଶଙ୍କା ସୃଷ୍ଟି କରିଛି। ପୁରୀ ଜିଲ୍ଲାରେ ଏଥର ସବୁଠାରୁ କମ୍‌ ବର୍ଷା ହୋଇଛି। ସ୍ୱାଭାବିକ ଭାବେ ଜିଲ୍ଲାରେ ୩୫୬.୩ ମିମି ବର୍ଷା ହୋଇଥାଏ। ତେବେ ଏଥର ମାତ୍ର ୧୭୭.୯ ମିମି ବର୍ଷା ହୋଇଛି। ଖୋର୍ଧା ଜିଲ୍ଲାରେ ଏବେ ସୁଦ୍ଧା ୪୧୭.୧ ବର୍ଷା ହେବା କଥା। ତେବେ ୨୩୮.୮ ମିମି ବର୍ଷା ଅର୍ଥାତ୍‌ ୪୩% କମ୍‌ ବର୍ଷା ରେକର୍ଡ କରାଯାଇଛି। ଏଥର ଜୁଲାଇ ମାସରେ ଏହି ଦୁଇ ଜିଲ୍ଲାରେ ୬୦% କମ୍‌ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଯଦି ରାଜ୍ୟ ସ୍ଥିତିକୁ ଦେଖିଲେ ଜୁନ୍‌ ୧ରୁ ଜୁଲାଇ ୨୨ ମଧ୍ୟରେ ସ୍ୱାଭାବିକ ଭାବେ ୪୫୮.୬ ମିମି ବର୍ଷା ହେବା କଥା। ତେବେ ୪୧୭.୪ ମିମି ବର୍ଷା ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାର ଉକ୍ତ ୮ଟି ଜିଲ୍ଲା ବ୍ୟତୀତ ସୋନପୁରରେ ବି ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି। ତେବେ ନିୟମିତ ବ୍ୟବଧାନରେ ବର୍ଷା ଲାଗିରହିଥିବାରୁ ସେଭଳି ବିପଦ ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ୱାସ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ୨୦୧୯ରେ ଜୁନ୍‌ ପହିଲାଠାରୁ ଏହି ସମୟ ମଧ୍ୟରେ ୩୧ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ତେବେ ଏଥର ୯ ପ୍ରତିଶତ କମ୍‌ ରହିଛି। ୨୦୧୯ରେ ଏହି ସମୟ ମଧ୍ୟରେ ୩୧୭.୫ ମିମି ବର୍ଷା ହୋଇଥିଲା। ଗତବର୍ଷ ପୁରୀ ଓ ଖୋ‌ର୍ଦ୍ଧ‌ା ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଏଥର ସବୁଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ଟ୍ରପ୍‌ ଦକ୍ଷିଣ ମୁହାଁ ହୋଇଥିବାରୁ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ।

ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ‌ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ମୟୂରଭଞ୍ଜ, ବାଲେଶ୍ୱର, ନବରଙ୍ଗପୁର, ନୟାଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଢେଙ୍କାନାଳ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଛି। ଉପକୂଳ ଓଡ଼ିଶାରେ ବି କେତେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ରେ ସର୍ବାଧିକ ୫୫ ମିମି ବର୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe