ଓଡ଼ିଶାରେ ବି କୋଇଲା ଅଭାବ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାଧାନ ପାଇଁ ଅନୁରୋଧ କଲା ୟୁସିସିଆଇ, ଶକ୍ତି ରାଷ୍ଟ୍ରମନ୍ତ୍ରୀ କହିଲେ, ଏପର୍ଯ୍ୟନ୍ତ ହୋଇନି ସମସ୍ୟା ।

122

କନକ ବ୍ୟୁରୋ : ଓଡିଶାରେ ବି କୋଇଲା ସଂକଟ । କୋଇଲାର ନିଅଂଟ ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି, ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ । ତୁରନ୍ତ ଏହାର ସମାଧାନ କରାନଗଲେ ରାଜ୍ୟର ବହୁ ଶିଳ୍ପ ପ୍ରଭାବିତ ହେବ ବୋଲି ଚିଠିରେ ଲେଖିଛି ୟୁସିସିଆଇ । ସେପଟେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ କୋଇଲା ସଂକଟ ଦେଖା ଦେଇଥିବା ବେଳେ କେନ୍ଦ୍ର ସରକାର କହିଛନ୍ତି, ସେଭଳି କୌଣସି ସଂକଟ ନାହିଁ ।

ଓଡ଼ିଶା ଶିଳ୍ପାନୁଷ୍ଠାନରେ କୋଇଲା ସଙ୍କଟ ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ୟୁସିସିଆଇ । ତ୍ୱରିତ କୋଇଲା ଯୋଗାଣ ପାଇଁ ଅନୁରୋଧ । ସାରା ଦେଶରେ କୋଇଲା ଅଭାବ ବଢୁଥିବା ବେଳେ ଓଡ଼ିଶାରେ ବି ସୃଷ୍ଟି ହୋଇଛି କୋଇଲା ସଙ୍କଟ । ଜରୁରୀକାଳୀନ ଭିତିରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଛି ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ । ୟୁସିସିଆଇ କହିଛି, ଯଦି କୋଇଲା ଅଭାବ ଲାଗି ରହେ, ତେବେ ପାୱାର ପ୍ଲାଂଟ, ଷ୍ଟିଲ ପ୍ଲାଂଟ, ସ୍ପଞ୍ଜ ଆଇରନ୍, ଆଲୁମିନିୟମ ସ୍ମେଲ୍ଟର ପ୍ଲାଂଟ ଆଦି ଶିଳ୍ପ ପ୍ରଭାବିତ ହେବ ।

ନଜର ପକାଇବା ରାଜ୍ୟରେ କେତେ ପରିମାଣରେ କୋଇଲା ଉତ୍ପାଦନ ହେଉଛି, ଏବଂ କେତେ ପରିମାଣର କୋଇଲା ପ୍ରତିବର୍ଷ ଆବଶ୍ୟକ ରହିଛି ।

*ଓଡ଼ିଶାରେ କୋଇଲା ଉତ୍ପାଦନ ଓ ଆବଶ୍ୟକତା
*ଦେଶରେ ଗଚ୍ଛିତ କୋଇଲାର ୨୫ ପ୍ରତିଶତ ରହିଛି ଓଡ଼ିଶାରେ
*ରାଜ୍ୟରେ ଥିବା ଥର୍ମାଲ ପାୱାର ପ୍ଲାଂଟରୁ ୧୬ ହଜାର ମେଗାୱାଟ୍ ବିଜୁଳି ମିଳିଥାଏ
*ଏଥିପାଇଁ ପ୍ରତିବର୍ଷ ୯୫ ମିଲିୟନ ଟନ୍ କୋଇଲା ଆବଶ୍ୟକ ହେଉଥିବା ବେଳେ ପ୍ରାୟ ୨୦୦ ମିଲିୟନ ଟନ୍ କୋଇଲା ପ୍ରତିବର୍ଷ ଉତ୍ତୋଳନ ହୋଇଥାଏ
*କେବଳ ଏମସିଏଲ ୧୫୦ ମିଲିୟନ ଟନ୍ ଉତ୍ପାଦନ କରିଥାଏ
*ତେବେ ମୋଟ ଉତ୍ପାଦନର ୬୫ ପ୍ରତିଶତ ରାଜ୍ୟ ବାହାରକୁ ଚାଲିଯାଏ

କୋଇଲା ଅଭାବ ଯୋଗୁଁ ବଡ଼ ଧରଣର ବିଜୁଳି ସଙ୍କଟ ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ବିହାର, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବି ବିଜୁଳି ଉତ୍ପାଦନ ପ୍ରଭାବିତ ହୋଇଛି । କିଛି ରାଜ୍ୟରେ ପ୍ରତିଦିନ ଏକ ଘଂଟାରୁ ଦୁଇ ଘଂଟା ବିଜୁଳି କାଟ ହେଉଥିବା ସୂଚନା ମିଳିଛି । ତେବେ ଦେଶରେ ବିଜୁଳି ସଙ୍କଟ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ । ଟାଟା ପାୱାର, ଗେଲ୍ ଏବଂ ଡିସକୋମ ଅଧିକାରୀଙ୍କୁ ନେଇ ବୈଠକ ପରେ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

କାହିଁକି ହେଉଛି କୋଇଲା ସଙ୍କଟ? କୋଇଲା ଅଭାବ ଯୋଗୁଁ ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛି ଚୀନ୍ । ଅନ୍ତଜାର୍ତୀୟ ବଜାରରେ କୋଇଲା ଦର ବୃଦ୍ଧି ପାଇଛି । ଭାରତରେ ପ୍ରବଳ ବର୍ଷା ଯୋଗୁଁ କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । କରୋନା କାଳରେ ଉତ୍ପାଦନ ହ୍ରାସ ପାଇଥିଲା । ସ୍ଥିତିରେ ସୁଧାର ଆସୁଥିବା ବେଳେ ବଢ଼ିଛି କୋଇଲା ଚାହିଦା । ଯଦି ସୃଷ୍ଟି ହୋଇଥିବା ସମସ୍ୟାର ତୁରନ୍ତ ସମାଧାନ ନ ଆସେ, ତେବେ ଏହାର ବଡ଼ ପ୍ରଭାବ ଅନୁଭୂତ ହେବା ଆଶଙ୍କା କରାଯାଉଛି ।