କୋଇଲା ଦୁର୍ନୀତି ମାମଲା । ଅଭିଷେକ ବାନାର୍ଜୀଙ୍କ ପାଇଁ ବଢିଲା ଅଡୁଆ, ବିନୟ ମିଶ୍ରାଙ୍କ ସହ ଅନ୍ୟ ସାଥୀଙ୍କ ୯ କୋଟି ଟଙ୍କାର ସମ୍ପତ୍ତି ଜବତ

87

କନକ ବ୍ୟୁରୋ : କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିଷେକଙ୍କ ନିକଟତର କୁହାଯାଉଥିବା ବିନୟ ମିଶ୍ରା ସମେତ ୩ ଜଣ ଅଭିଯୁକ୍ତଙ୍କ ୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି ।

ଇଡିର ଜଣେ ଅଧିକାରୀଙ୍କ କହିବା ମୁତାବକ ବେଆଇନ କୋଇଲା ଖନନ ମାମଲାରେ ମନି ଲଣ୍ଡ୍ରିଂ ଆଇନ ବଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଏହି ୯ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ।

ସୂଚନା ମୁତାବକ ଇଡି ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଆମେଠି ଜିଲ୍ଲା ଓ କୋଲକତାରେ ଥିବା ସମ୍ପତ୍ତି ଜବତ କରିଥିଲା । ଇଡି ଅଧିକାରୀଙ୍କ କହିବା ମୁତାବକ ବେଆଇନ କୋଇଲା ଖଣି ଖୁଳିବା ନେଇ ୧୩୫୨ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଥିଲା ।

ଏହା ପୂର୍ବରୁ ବି ଇଡି ଏହି ମାମଲାରେ ୧୭୧ କୋଟି ଟଙ୍କାରୁ ଅଧିକ ଅଚଳ ସମ୍ପତ୍ତି ଜବତ କରିଥିଲା । ଏହାକୁ ମିଶାଇ ଏହି ମାମଲାରେ ଏପର୍ଯ୍ୟନ୍ତ ୧୮୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏହି ମାମଲାରେ ଇଡି ଅଭିଯୁକ୍ତ ବିନୟ ମିଶ୍ରା ଓ ଅଶୋକ ମିଶ୍ରାଙ୍କୁ ଗିରଫ କରିଛି ।