ଏମ୍‌ସିଏଲ୍ ତାଳଚେର କୋଇଲା ଖଣି ପାଲଟିଛି ମରଣଯନ୍ତା : ୧୦ ବର୍ଷରେ ନେଲାଣି ୨୬ ଜୀବନ, ସୁରକ୍ଷା ବ୍ୟବସ୍ଥା ପ୍ରତି ଅବହେଳା; ଚାଲିଛି ଶ୍ରମିକଙ୍କ ଜୀବନ ସହିତ ଖେଳ

95

କନକ ବ୍ୟୁରୋ : ଏମ୍‌ସିଏଲ୍ ତାଳଚରେ କୋଇଲା ଖଣିଗୁଡ଼ିକ ପାଲଟିଛି ମରଣଯନ୍ତା। ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏମ୍‌ସିଏଲ୍ ହଜାର ହଜାର କୋଟି ଲାଭ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ଅବହେଳା କରୁଛି। ଗତ ୧୦ ବର୍ଷରେ ଏମ୍‌ସିଏଲ୍‌ ତାଳଚେରରେ ବିଭିନ୍ନ ଖଣି ୨୬ଟି ଠିକା ଶ୍ରମିକଙ୍କ ଜୀବନ ନେଲାଣି । ତଥ୍ୟ ଅନୁସାରେ, ଗତ ୨୦୦୯ ମସିହାରୁ ୨୦୧୯ ମସିହା ମଧ୍ୟରେ ତାଳଚେରରେ ଥିବା ଏମ୍‌ସିଏଲ୍‌ର ବିଭିନ୍ନ ଖଣିଗୁଡ଼ିକରେ ୨୩ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୬ କର୍ମଚାରୀଙ୍କ ପ୍ରାଣହାନି ଘଟିଛି। ୨୦୦୯ ମସିହାରେ ହୋଇଥିବା ବଳରାମ‌ ଖୋଲାମୁହଁ କୋଇଲା ଖଣି(ଓସିପି)ରେ ସହଦେବ ପ୍ରଧାନ ଓ ଅନନ୍ତ ଖୋଲାମୁହଁ କୋଇଲା ଖଣିରେ ସୁଦର୍ଶନ ଯାଦବଙ୍କ ମୃତ୍ୟୁ ଘଟିଥିଲା। ୨୦୧୦ ମସିହାରେ ବଳରାମ ଓସିପିରେ ନାରାୟଣ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ୨୦୧୧ ମସିହାରେ ଖଣି ଦୁର୍ଘଟଣାରେ ୩ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଲିଙ୍ଗରାଜ ଓସିପିରେ ଅଜିତ ବେହେରା, ଅନନ୍ତ ଓସିପିରେ ଏଲ୍‌.ଏମ୍‌. ପ୍ରଧାନ ଓ ବଳରାମ ଓସିପିରେ ମନୋଜ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ୨୦୧୨ ମସିହାରେ ମଧ୍ୟ ୨ଟି ଖଣି ଦୁର୍ଘଟଣା ଘଟିଥିଲା।

ଭୁବନେଶ୍ବରୀ ଓସିପିରେ ଠିକା କର୍ମଚାରୀ ଜୟପ୍ରକାଶ ରାଉତ ଓ ଲିଙ୍ଗରାଜ ଓସିପିର କମଳ କୁମାର ଚାନ୍ଦଙ୍କ ମୃତ୍ୟୁ ଘଟିଥିଲା। ୨୦୧୩ ମସିହାରେ ଭରତପୁର ଓସିପି ଅଜୟ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଜୀବନ ନେଇଥିବାବେଳେ ୨୦୧୪ ମସିହାରେ ଅନନ୍ତ ଓସିପିରେ ସୁବ୍ରତ ସାହୁଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୫ ମସିହାରେ ହୋଇଥିବା ଖଣି ଦୁର୍ଘଟଣାରେ ଭୁବନେଶ୍ବରୀ ଓସିପିର ଗୋଲେଖ ବିହାରୀ ପ୍ରଧାନ ଓ ଭରତପୁର ଓସିପିର ବଳରାମ ବାଉରୀଙ୍କ ଜୀବନ ଯାଇଥିଲା। ୨୦୧୬ ମସିହାରେ ଭରତପୁର ଓସିପିରେ ଗୌତମ କୁମାର ସିଂହଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ୩ ଜଣ ଠିକା କର୍ମଚାରୀଙ୍କ ଖଣି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ କଣିହାଁ ଓସିପି କୃଷ୍ଣଚନ୍ଦ୍ର ଛତର ଓ ଜଗଦୀଶ ଭୂତିଆ ଏବଂ ଭୁବନେଶ୍ବରୀ ଓସିପି ଧନଞ୍ଜୟ ସିଂହଙ୍କ ଜୀବନ ନେଇଥିଲା। ୨୦୧୮ ମସିହାରେ ୩ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଗନ୍ନାଥ ଓସିପିର ପ୍ରଦୀପ କୁମାର ଦାଶ, ଭରତପୁର ଓସିପିର ସନ୍ଥଚରଣ ବାରିକ ଓ ଲିଙ୍ଗରାଜ ଓସିପିର ଭୁବନ ନାୟକଙ୍କ ପ୍ରାଣବାୟୁ ଅସମୟରେ ଉଡ଼ିଯାଇଥିଲା। ୨୦୧୯ ମସିହା ଶ୍ରମିକମାନଙ୍କ ସବୁଠାରୁ ଖରାପ ବର୍ଷ ଥିଲା। ଏହି ବର୍ଷ ୭ ଜଣ ଶ୍ରମିକ ଅବେଳାରେ ପ୍ରାଣ ହରାଇଥିଲେ। ବଳରାମ ଓସିପିରେ କୈଳାସ ଚନ୍ଦ୍ର ମହାରଣା ଓ ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ବରୀ କୋଇଲା ଖଣିରୁ ମିଟୁ ଭୁକ୍ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ଭତରପୁରରେ ସବୁଠାରୁ ବଡ଼ ଖଣି ଦୁର୍ଘଟଣା ଘଟିଥିଲା। ଏଥିରେ ପପୁନ ବିଶ୍ବାଳ, ରମେଶ ଦାଶ, ରାଜକିଶୋର ମହାପାତ୍ର ଓ ରଶ୍ମିରଞ୍ଜନ ବେହେରାଙ୍କ ମୃତ୍ୟୁ ଘଟିଥିଲା।

ଏମିତି ଦେଖିବାକୁ ଗଲେ ବଳରାମ ଓସିପିରେ ୫ ଜଣ, ଅନନ୍ତ ଓସିପି ୩ ଜଣ, ଲିଙ୍ଗରାଜ ଓସିପି ୩ ଜଣ, ଭୁବନେଶ୍ବରୀ ଓସିପି ୪ ଜଣ, କଣିହାଁ ଓସିପି ୨ ଜଣ, ଜଗନ୍ନାଥ ଓସିପି ଜଣେ ଏବଂ ଭରତପୁର ଓସିପି ୮ ଜଣ ଶ୍ରମିକଙ୍କ ଜୀବନ ନେଇଥିବା ଏମ୍‌ସିଏଲ୍‌ ତଥ୍ୟ କହୁଛି। ତେବେ, ଏମ୍‌ସିଏଲ୍‌ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନଦେଇ ଶ୍ରମିକମାନଙ୍କ ଜୀବନ ସହିତ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି।