କୋଚିଂ ହବ୍ କୋଟାକୁ ନେଇ ଉଠୁଛି ପ୍ରଶ୍ନ: କ’ଣ ପାଇଁ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା?

175

କନକ ବ୍ୟୁରୋ: ରାଜସ୍ଥାନ କୋଟା ସହର । କୁହାଯାଏ ଉଚ୍ଚ ଶିକ୍ଷା ଅଭିଳାଶ ରଖୁଥିବା ଛାତ୍ରଛାତ୍ରୀ ସବୁଠୁ ଉନ୍ନତମାନର କୋଚିଂ ପାଇଁ କୋଟାକୁ ଆସିଥାନ୍ତି । ଏବେ କିନ୍ତୁ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପାଲଟିଛି କୋଟା । ୧୧ମାସରେ ୨୮ଜଣ ଆତ୍ମହତ୍ୟା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଛି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛର କାରଣ କ’ଣ? ବାରମ୍ବାର ଘଟୁଥିବା ଅଘଟଣ ପାଇଁ ଦାୟୀ କିଏ? କେବେ ମିଳିବ ସମସ୍ୟାର ସମାଧାନ ।

ନାଁ-ଫରିଦ ହୁସେନ । ବୟସ-୨୦ । ଘର-ପଶ୍ଚିମବଙ୍ଗ । ଉଚ୍ଚଶିକ୍ଷା ପାଇଁ ସେ ଘର ଛାଡି ରାଜସ୍ଥାନର କୋଟା ଚାଲିଆସିଥିଲେ । କୋଟା ହେଉଛି ଦେଶ ସବୁଠୁ ବଡ କୋଚିଂ ସେଂଟର ହବ । ତେଣୁ ଏଠାରେ କୋଚିଂ ନେବେ ଓ କ୍ୟାରିୟର ଗଢ଼ିବା ପାଇଁ ଉଚ୍ଚଶିକ୍ଷା ଗ୍ରହଣ କରିବେ ।ଏହି ସ୍ୱପ୍ନ ସହ କିଛି ମାସ ହେବ କୋଟାକୁ ଆସିଥିବା ଫରିଦ ଶେଷରେ ଜୀବନ ହାରି ଦେଇଛନ୍ତି । ନଭେମ୍ବର ୨୭ ତାରିଖ ଦିନ ରହୁଥିବା ଘରୁ ଫରିଦଙ୍କୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ଘଂଟା ଧରି କବାଟ ନଖୋଲିବା ପରେ ସହପାଠୀ ପୁଲିସକୁ ସୂଚନା ଦେଇଥିଲେ ।

ଆଖିରେ ଅସୁମାରୀ ସ୍ୱପ୍ନ ନେଇ ଯେଉଁ ସହରକୁ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ ଆସୁଛନ୍ତି ସେମାନେ ଘରକୁ ଫେରିବା ବଦଳରେ ମୃତ୍ୟୁମୁଖରେ ପଡୁଛନ୍ତି । ୧୧ମାସ ଭିତରେ ୨୮ଜଣ ଆତ୍ମହତ୍ୟା କରିସାରିଲେଣି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ?

ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ଫରିଦ ମେଡିକାଲ ପ୍ରବେଶ ପରୀକ୍ଷା ପାଇଁ କୋଟାରେ କୋଚିଂ ନେଉଥିଲେ । କିଛି ଦିନ ମିଳାମିଶା ବନ୍ଦ କରିଥିଲେ । ତେବେ ଶବ-ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ ପ୍ରକିୟା ଆଗକୁ ବଢ଼ିବ ବୋଲି କୋଟା ପୁଲିସ ଅଧିକାରୀ କହିଛନ୍ତି । ସେପଟେ ମାନସିକ ବିଶେଷଞ୍ଜ କହିଛନ୍ତି ଏଭଳି ସ୍ଥିତିରୁ କିଭଳି ଛାତ୍ରଛାତ୍ରୀଙ୍କ ଚାପମୁକ୍ତ ରଖାଯାଇପାରିବ ।

ରାଜସ୍ଥାନ ସରକାର ଦାବି କରୁଛନ୍ତି ଯେ ଆତ୍ମହତ୍ୟା ରୋକିବା ପାଇଁ ସବୁ ଚେଷ୍ଟା କରାଯାଉଛି । ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ପରଖିବା ପାଇଁ, ସେମାନଙ୍କୁ ଚାପମୁକ୍ତ କରିବାକୁ ବିଭିନ୍ନ କାଉନସେଲିଂ କରାଯାଉଛି । ତଥାପି କ’ଣ ପାଇଁ ସରକାର, ଅଧ୍ୟାପକ, ଅଭିଭାବକ, ପ୍ରଶାସନ ଏହାକୁ ରୋକିବାକୁ ବାରମ୍ବାର ବିଫଳ ହେଉଛନ୍ତି । ଉନ୍ନତମାନର କୋଚିଂ ପାଇଁ କୋଟା ସହର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଛି କିନ୍ତୁ କ୍ରମଶ ଏହା ଛାତ୍ରଛାତ୍ରୀଙ୍କ ପେଣ୍ଠସ୍ଥଳ ପାଲଟିଛି ।