ସରକାରଙ୍କ ସ୍କାନରରେ କୋଚିଂ ସେଣ୍ଟର: ଟପ୍ପର ଛାତ୍ରଛାତ୍ରୀଙ୍କ ଫଟୋ ଲଗାଇ ବ୍ୟବସାୟ କରୁଥିବା କୋଚିଂ ସେଣ୍ଟର ଉପରେ ଲାଗିବ ଲଗାମ ।

829

କନକ ବ୍ୟୁରୋ: ଉନ୍ନତମାନର ଶିକ୍ଷା ଯୋଗାଇ ଦେବାନାଁରେ ଶିକ୍ଷାର ବ୍ୟବସାୟକରଣ କରୁଥିବା ବେଆଇନ କୋଚିଂ ସେଂଟର ଉପରେ ଲାଗିବ ଲଗାମ । ଏନେଇ ଗୃହ ବିଭାଗ ନିକଟରେ ଅଭିଭାବକ ମହାସଂଘ ଲିଖିତ ଅଭିଯୋଗ କରିବା ପରେ ଗୃହ ବିଭାଗ, ବେଆଇନ କୋଚିଂ ସେଂଟରର ତାଲିକା ପ୍ରସ୍ତୁତ କରିବା ପାଇଁ ପୋଲିସ ଡିଜି ଏବଂ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି । କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ଜଣାଇବା ପାଇଁ ଗୃହ ବିଭାଗ ଲେଖିଥିବା ଚିଠିରେ କୁହାଯାଇଛି ।

କୋଚିଂ ସେଂଟର ଉପରେ ଲାଗିବ ଲଗାମ । କୋଚିଂ ଦେବା ନାଁରେ ଅଭିଭାବକମାନଙ୍କଠାରୁ ଆଉ ଲୁଟି ପାରିବେନି ଲକ୍ଷ ଲକ୍ଷ ଟଙ୍କା । ଛତୁଫୁଟିବା ଭଳି ଖୋଲୁଥିବା କୋଚିଂ ସେଂଟର ବିରୋଧରେଏଣିକି ହେବ କାର୍ଯ୍ୟାନୁଷ୍ଠାନ । ଅଭିଭାବକ ମହାସଂଘ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖିବା ପରେ, ସକ୍ରିୟ ହୋଇଛି ଗୃହ ବିଭାଗ । ବେଆଇନ କୋଟିଂ ସେଂଟରର ତାଲିକା ପ୍ରସ୍ତୁତ କରିବା ସହିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେବାକୁ ପୁଲିସ ଡିଜି, ଆଇଜି,ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି ଗୃହ ବିଭାଗ ।

କୋଚିଂ ସେଂଟରଗୁଡିକ ବିରୋଧରେ କଣ ରହିଛି ଅଭିଯୋଗ ।
-ବିନା ଲାଇସେନ୍ସରେ ଖୋଲାଯାଉଛି ମାଳ ମାଳ କୋଚିଂ ସେଂଟର ।
-ସେଂଟରଗୁଡିକ ଜାଲ ଫଟୋ ଦେଖାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି
-ବିଜ୍ଞାପନରେ ମିଥ୍ୟା ପ୍ରଲୋଭନ ଦେଖାଇ ନାମ ଲେଖାଇବାପାଇଁ ପ୍ରରୋଚିତ କରୁଛନ୍ତି ।
-ଅନେକ କୋଚିଂ ସେଂଟରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ ।

ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଗୃହ ବିଭାଗ ଦେଇଥିବା ନିର୍ଦ୍ଦେଶକୁ ଗୁରୁତ୍ୱର ସହ ନେଇଛି ବିଭାଗ । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଉନ୍ନତମାନର କୋଚିଂ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ଏହି ବେଆଇନ କୋଚିଂ ସେଂଟରକୁ କିପରି ନିୟନ୍ତ୍ରଣକୁ ଅଣାଯାଉଛି ଏବେ ତା ଉପରେ ସମସ୍ତଙ୍କ ନଜର ।