ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା । କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କଲା ମୁମ୍ବାଇ ପୋଲିସ ।

578

କନକ ବ୍ୟୁରୋ: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ କୋଷ୍ଟାର ସିଜାନ ମହମ୍ମଦକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତନୁଶ୍ରୀ ନିଜ ସୁଟିଂ ସେଟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା ।

ସୂଚନା ଅନୁସାରେ ନଏଗାଓଁରେ ତାଙ୍କ ଟେଲି ସିରିଏଲ ‘ଅଲ୍ଲି ବାବା, ଦାସତାଏଁ-ଏ-କାବୁଲ’ର ସୁଟିଂ ଚାଲିଥିଲା । ଏହି ସମୟରେ ସେ ଜଣେ ସହଯୋଗୀଙ୍କ ମେକଅପ୍ ରୁମରେ ମେକଅପ୍ କରିବାକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଫେରି ନଥିଲେ । କବାଟ ବାଡ଼େଇବା ପରେ ବି ଖୋଲି ନଥିଲେ । ଫଳରେ ସେଟରେ ଥିବା କଳାକାରମାନ କବାଟ ଭାଙ୍ଗି ଦେଇଥିଲେ । ସେଠାରେ ତୁନିଶା ବେହୋସ୍ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ତୁନିଶାଙ୍କ ମା’ ଅଭିଯୋଗ ଆଣିଛନ୍ତି, ତାଙ୍କ ଝିଅଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଯାଇଛି । ଏହାପରେ ଘଟଣା ଭିନ୍ନମୋଡ ନେଇଛି । ଅଭିନେତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ଉଭୟ ଦିଗରୁ ଯାଞ୍ଚ କରୁଛି ପୁଲିସ । ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ଏହି ଘଟଣା ପରେ ଅଭିନେତ୍ରୀଙ୍କ ପୁରୁଷବନ୍ଧୁ ତଥା କୋ-ଷ୍ଟାର ସିଜାନ ମହମ୍ମଦ ଖାନଙ୍କୁ ପଚରାଉଚରା କରିଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିିଳିଛି । ଏହାସହ ଟିଭି ସୁଟିଂ ସେଟର କର୍ମଚାରୀ ଓ ଅନ୍ୟ ବନ୍ଧୁଙ୍କୁ ବି ପଚରାଉଚରା କରାଯିବ ବୋଲି ପୁଲିସ କହିଛି । ସୁଇସାଇଡ କରିବା ପୂର୍ବରୁ ତୁନିଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ମେକଅପ ରୁମର ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ସ୍ୱାଭାବିକ ଥିଲେ । ତେଣୁ ହଠାତ ସେ କିଭଳି ଆତ୍ମହତ୍ୟା କଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ଥାପିଥିଲେ ତୁନିଶା । ଏକାଧିକ ସିରିଏଲରେ କାମ କରି ଦର୍ଶକଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ । ସିରିଏଲ ସହ ହିନ୍ଦୀ ଫିଲ୍ମର କାମ କରିସାରିଛନ୍ତି ଏହି ଯୁବ ଅଭିନେତ୍ରୀ ଜଣକ । କ୍ୟାଟ୍ରିନା କୈଫ ଷ୍ଟାରର ଫିଲ୍ମ “ଫିତୁର’, ବିଦ୍ୟା ବଲାନଙ୍କ ‘କାହାନୀ-୨’ରେ ତାଙ୍କୁ ଏକ ଭୂମିକାରେ ଦେଖିବାକୁ ମିଳିଥିଲ ।