ପ୍ରମୋଦଙ୍କ ହାତରେ ପଡିଲା ହାତକଡି: କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଗିରଫ କଲା ପୁଲିସ୍

ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ହୋଇଥିଲା ଅଭିଯୋଗ; ମୋବାଇଲ ଶିଖାଇବା ବାହାନାରେ ଚାମ୍ବରକୁ ଡାକୁଥିଲେ ପ୍ରମୋଦ

688

କନକ ବ୍ୟୁରୋ: ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି । ଗିରଫ ପରେ ତାଙ୍କୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଡିସନାଲ ଏସପି ଗାଗାରିନ ମହାନ୍ତି । ଗତକାଲି ରାତି ପ୍ରାୟ ୧୧ଟାରେ ପୁଲିସ୍ ବଣିଆମାଳ ସ୍ଥିତ ବାସଭବନରୁ ପ୍ରମୋଦ ସାହୁଙ୍କୁ ଉଠାଇ ଆଣି ପଚରାଉଚୁରା କରିବା ପରେ ଗିରଫ କରିଥିଲା ।

କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା । ଏମିତି କି କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରହିଛି କୋଅପରେଟିଭ୍ ସୋସାଇଟିର ସଭାପତିଙ୍କ କେଳେଙ୍କାରୀର କାହାଣୀ । ତେବେ ଏହି ଯୌନ ଶୋଷଣ ଅଭିଯୋଗ ପୀଡିତା କିଛି ମାସ ତଳେ କରିଥିବାବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ମଧ୍ୟ ହୋଇଛି ।

ନ୍ୟାୟ ପାଇଁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ୍ କମିଟିକୁ ଦିଆଯାଇଛି । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତ୍ତାଳାପର ଅଡିଓ ଟେପ ଯାଂଚ ପାଇଁ ଫରେନସିକ୍ ଲାବକୁ ପଠାଇଛି ।

Comments are closed.