ପୁଣି ଖାଉଟିଙ୍କୁ ମହଙ୍ଗା ମାଡ । ଘରୋଇ ଗ୍ୟାସ ସିଲିଣ୍ଡର ପରେ ଏବେ ସିଏନଜି ଓ ପିଏନଜିର ଦର ବୃଦ୍ଧି

202

କନକ ବ୍ୟୁରୋ : କରୋନା ସଂକଟ ବେଳେ ଲୋକମାନେ ବୃତ୍ତି ହରାଇ ରୋଜଗାର ସହ ଲଢେଇ କରୁଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ଅତ୍ୟାବଶକୀୟ ସାମଗ୍ରୀ ଉପରେ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଖାଇବା ତେଲ ଠାରୁ ପେଟ୍ରୋଲ ଡିଜେଲ ପର୍ଯ୍ୟନ୍ତ ଦାମ ଆକଶ ଛୁଆଁ ।

ଏହାରି ମଧ୍ୟରେ ସରକାର ଗତ ସପ୍ତାହରେ ଘରୋଇଗ୍ୟାସ ସିଲିଣ୍ଡର ଉପରେ ଦର ବୃଦ୍ଧି କରିଥିବା ବେଳେ ଏବେ ପୁଣି ସିଏନଜି ଓ ପିଏନଜି ଉପରେ ଦର ବୃଦ୍ଧି ହୋଇଛି । ଏବେ ସିଏନଜିରେ ଚାଲୁଥିବା ଗାଡି ଓ ପାଇପଲାଇନ ଯୋଗେ ନେଇଥିବା ଗ୍ୟାସ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି ।

ଗୁରୁବାର ଦିନ ତୈଳ କମ୍ପାନୀମାନେ ସିଏନଜି ଗ୍ୟାସ ଲିଟର ପ୍ରତି ୯୦ ପଇସା ବୃଦ୍ଧି କରିଛନ୍ତି । ଏହାସହ ପିଏନଜି ଉପରେ ବି ୧.୨୫ ଟଙ୍କା ବୃଦ୍ଧି ହୋଇଛି । ଏହି ଦର ଆଜି ସକାଳ ୬ ଟାରୁ ଲାଗୁ ହୋଇଛି । ଏହିଦର ବୃଦ୍ଧିପରେ ଖୁଚରା ବଜାରରେ ସିଏନଜି ଲିଟର ପ୍ରତି ୪୪.୩୦ ଟଙ୍କା ଓ ପିଏନଜି ୨୯.୬୬ ଟଙ୍କାରେ ପହଂଚିଛି ।

କହିରଖୁ କି ଜୁଲାଇ ପହିଲାରୁ ଅନେକ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଗୋଟେପଟେ ପେଟ୍ରୋଲ ଓ ଡିଜେଲ ଦର ଜନତାଙ୍କ ଉପରେ ବୋଝ ପରି ମାଡିପଡୁଥିବା ବେଳେ ଜୁଲାଇ ପହିଲାରୁ ଏଲପିଜି ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା । ଏହାସହ ଅମୁଲ କ୍ଷୀରର ଦାମ ପ୍ୟାକେଟ ପ୍ରତି ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି   ।