କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: କରୋନା ରୋଗୀଙ୍କ ସୁବିଧା, ନିରାପତା ଉପରେ ଗୁରୁତ୍ୱ; ୫ଟି ଫୋକସ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପରାମର୍ଶ

ଆଗକୁ ଦୈନିକ ୯ ହଜାର ନମୂନା ଟେଷ୍ଟ ପାଇଁ ନିର୍ଦ୍ଦେଶ: କାଲିଠୁ ପ୍ଲାଜମା ଥେରାପି

310

କନକ ବ୍ୟୁରୋ: ରାଜ୍ୟର କୋଭିଡ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଗୀଙ୍କ ସୁବିଧା ଓ କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କଟକ, ଗଂଜାମ, ଯାଜପୁର, ସୁନ୍ଦରଗଡ ଓ ଖୋର୍ଦ୍ଧା ୫ଟି ଫୋକସ ଜିଲ୍ଲାର ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତାକାଲି ଠାରୁ ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ପ୍ଲାଜମା ଥେରାପୀ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ କଟକ, ଭୁବନେଶ୍ୱର ଓ ଗଂଜାମର ଆଗକୁ ଅଧିକ ଆଇସିୟୁ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଏହାସହ କୋଭିଡ ହସ୍ପିଟାଲରେ ଶଯ୍ୟା, ଆମ୍ବୁଲାନ୍ସ ଓ ଆଇସିୟୁର ଶଯ୍ୟା ବୃଦ୍ଧି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏପଟେ, ସୁନ୍ଦରଗଡରେ କରୋନା ସ୍ଥିତି ସଂଗୀନ ହୋଇପଡିଛି । ଆଜି ସୁନ୍ଦରଗଡରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୭ ଜଣ କରୋନା ଯୋଦ୍ଧା ଅଛନ୍ତି । ୩୭ ଜଣଙ୍କ ମଧ୍ୟରୁ ୩୫ ଜଣ ପୁଲିସ କର୍ମଚାରୀ, ଜଣେ ଡାକ୍ତର ଓ ଜଣେ ଷ୍ଟାଫ ନର୍ସ ଥିବା ସୂଚନା ମିଳିଛି । କରୋନା ଯୋଦ୍ଧାଙ୍କ ଭିତରୁ ୧୫ ଜଣ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆଉ ୨୨ ଜଣଙ୍କୁ ଘରୋଇ ସଂଗରୋଧରେ ରହିବାକୁ କୁହାଯାଇଛି । ସୁନ୍ଦରଗଡ ଜିଲ୍ଳାପାଳ ଆଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୫କୁ ବୃଦ୍ଧି ପାଇଛି । ତେବେ ୩୧୮ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏବେ ଜିଲ୍ଲାରେ ୪୦୪ଟି ସକ୍ରିୟ ମାମଲା ରହିଛି । ସେପଟେ ସୁନ୍ଦରଗଡରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଆସନ୍ତା ୧୯ ତାରିଖ ଯାଏଁ କୋର୍ଟ କାର୍ଯ୍ୟରେ ଯୋଗଦେବେନି ଓକିଲ । ସୁନ୍ଦରଗଡ ବାର ଆସୋସିଏସନ ପକ୍ଷରୁ ୧୯ ତାରିଖ ଯାଏ କୋର୍ଟ କାର୍ଯ୍ୟ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି । ସରକାରର ଓକିଲ ଓ ପୁଲିସ କର୍ମୀ ପଜିଟିଭ ଆସିବା ପରେ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସେହିଭଳି ଖୋର୍ଧା ଜିଲ୍ଲାରେ ଧୀରେ ଧୀରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଜିଲ୍ଲାର ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ହୋଇଛି କରୋନା । ଖୋର୍ଧା ମୁଖ୍ୟ ଡାକ୍ତରଖାନାରେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ସାନିଟାଇଜ୍ କରାଯାଇଛି । ଏହା ସହିତ ଡାକ୍ତରଖାନାର ଓପିଡିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଧା ସିଡିଏମଓ । ଖୋର୍ଦ୍ଧାରେ ମୋଟ୍ ୧ହଜାର ୪୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ୯୩୫ଜଣ ସୁସ୍ଥ ହୋଇଥିବା ବେଳେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଖୋର୍ଦ୍ଧା ଜିଲ୍ଲାରେ ୪୭୧ଟି ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।