ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ଘଟଣା : ମୁଖ୍ୟମନ୍ତ୍ରୀ କହିଲେ ଦୁର୍ଭାଗ୍ୟଜନକ, ଏପଟେ ପୀଡିତାଙ୍କ ଘରେ ପହଂଚିଲା କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

25

କନକ ବ୍ୟୁରୋ : ସାଲେପୁର ଘଟଣାରେ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଷ୍କର୍ମ ପୀଡିତା ନାବାଳିକାର ମୃତ୍ୟୁ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପୀଡିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ଘଟଣାର ୨୪ ଘଂଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡିତାଙ୍କୁ ଏସସିବିରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସେଠାରେ ନିୟୋଜିତ କରାଯାଇଥିଲା । କିନ୍ତୁ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କ ମୃତ୍ୟୁ ଦୁଭାର୍ଗ୍ୟଜନକ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବ ।

ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ଗାଁରେ ପହଂଚିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ୯ ଦିନ ତଳେ ସାଲେପୁରରେ ଦୁଷ୍କର୍ମ ଉଦ୍ୟମର ଶୀକାର ହୋଇ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲରେ ପହଂଚିଥିବା ୬ ବର୍ଷର କୁନି ଝିଅ ଶେଷରେ ଜୀବନଯୁଦ୍ଧରେ ହାରିଯାଇଛି । ଦୁଷ୍କର୍ମ ହୋଇଛି କି ନାହିଁ ସେନେଇ ସରକାରୀ ରିପୋର୍ଟ ଆସିବା ପୂର୍ବରୁ ଆଖି ବୁଜି ଦେଇଛି କୁନି ଝିଅ । କଟକ ମେଡ଼ିକାଲରେ ନାବାଳିକାଙ୍କ ମୃତ୍ୟୁ ହେବା ପରେ ଗତକାଲି ତାଙ୍କ ଗାଁରେ ପୀଡିତାଙ୍କ ଶେଷକୃତ୍ୟ ହୋଇଛି । ସେପଟେ ନାବାଳିକାର ମୃତ୍ରୁ୍ୟ ପରେ ସାଲେପୁରରେ ଚାପା ଉତ୍ତେଜନା ଦେଖାଦେଇଛି । ଏଥିପାଇଁ ପୀଡିତାଙ୍କ ପରିବାର ସମେତ ସାଲେପୁରରେ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରାଯାଇଛି । ସାଲେପୁର ଅଂଚଳରେ ପ୍ରାୟ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଜଣା ପଡିଛି ।