ମହାକାଶକୁ ଯୋଗାଯୋଗ ସାଟେଲାଇଟ ଛାଡିଲା ଇସ୍ରୋ । ଆକାଶରୁ ଯୋଗାଯୋଗକୁ ସହଜ କରିବ ସିଏମଏସ-୦୧

97

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା  (ଇସ୍ରୋ) ପକ୍ଷରୁ ଗୁରୁବାର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧କୁ ମହାକାଶକୁ ପ୍ରେରଣ କରାଯାଇଛି । ଇସ୍ରୋର ପିଏସଏଲଭି-ସି୫୦ ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯାଇଛି । ଶ୍ରୀହରିକୋଟା ସ୍ଥିତ ଶତୀଶ ଧଓ୍ବନ ମହାକାଶ କେନ୍ଦ୍ରର ୨ୟ ଲଞ୍ଚ୍ ପ୍ୟାଡରୁ ଆଜି ଅପରାହ୍ଣ ୩ ଘଣ୍ଟା ୪୧  ମିନିଟ ସମୟରେ ପିଏସଏଲଭିର ଉତକ୍ଷେପଣ କରାଯାଇଥିଲା । ଏହା ହେଉଛି ପିଏସଏଲଭିର ୫୨ତମ ମିଶନ ।

ଏହି ସଫଳ ଉତକ୍ଷେପଣ ସମ୍ପର୍କରେ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହି ଟ୍ୱିଟରେ କୁହାଯାଇଛି ଯେ ପିଏସଏଲଭି ସଫଳତାର ସହ ସିଏମଏସ-୦୧କୁ କକ୍ଷପଥରେ ସ୍ଥାପନ କରିଛି । ତେବେ ଉକ୍ତ କକ୍ଷପଥର ନିର୍ଦ୍ଧାରିତ ସ୍ଥାନରେ ସ୍ଥାପିତ ହେବାକୁ ଏହି ଉପଗ୍ରହକୁ ଆଉ ୪ ଦିନ ଲାଗିଯିବ । ବର୍ତ୍ତମାନ ସୁଦ୍ଧା ଏହି ଉପଗ୍ରହ ଠିକ ଭାବେ କାର୍ଯ୍ୟ କରୁଛି ।

ସିଏମଏସ-୦୧ ହେଉଛି ଇସ୍ରୋ ଦ୍ବାରା ଛଡ଼ାଯାଇଥିବା ୪୨ ତମ ଯୋଗାଯୋଗ ସାଟେଲାଇଟ । ଏହା ଭାରତୀୟ ମୂଳ ଭୂଖଣ୍ଡ ଓ ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ସଂପ୍ରସାରିତ ସି-ବ୍ୟାଣ୍ଡ୍ ସେବା ଯୋଗାଇବ । ଗତ ନଭେମ୍ବର ୭ ରେ ଇସ୍ରୋ ପକ୍ଷରୁ ପିଏସଏଲଭି-ସି୪୯ ମାଧ୍ୟମରେ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଛଡ଼ାଯାଇଥିଲା ।