କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ: ଅଧଘଣ୍ଟାରେ ଜଣାପଡ଼ିବ କୋଭିଡ୍ ଷ୍ଟାଟସ୍; କର୍କଟ କେନ୍ଦ୍ରରେ ରିପୋର୍ଟ ନଆସିବା ଯାଏ ଆଡମିସନ୍ ମନା

Advertisment
କଟକରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ: ଅଧଘଣ୍ଟାରେ ଜଣାପଡ଼ିବ କୋଭିଡ୍ ଷ୍ଟାଟସ୍; କର୍କଟ କେନ୍ଦ୍ରରେ ରିପୋର୍ଟ ନଆସିବା ଯାଏ ଆଡମିସନ୍ ମନା

କନକ ବ୍ୟୁରୋ: କଟକରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେଲାଣି। ଆଚାର୍ଯ୍ୟ ହରିହର, ଏସସିବି ପାଲଟିଛି ସଂକ୍ରମଣର ହଟସ୍ପଟ୍। ଏଭଳି ସ୍ଥିତିରେ କେମିତି ସଂକ୍ରମଣକୁ ରୋକାଯାଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର କଟକ ବଡ଼ ଡାକ୍ତରଖାନା ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଟକ ବଡ ଡାକ୍ତରଖାନା, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ ଓ ସିଟି ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।

ଆସନ୍ତାକାଲିଠାରୁ କଟକରେ ଆରମ୍ଭ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ। ଏହି ପରୀକ୍ଷଣ ଦ୍ୱାରା ଅଧଘଣ୍ଟାରେ ରୋଗୀର .କୋଭିଡ୍ ଷ୍ଟାଟସ୍ ଜଣାପଡ଼ିବ। ସଟଡାଉନ୍ ସମୟରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଡାକ୍ତରଖାନା ଆସିବା ପାଇଁ ବାରଣ କରାଯାଇଛି। କେବଳ ସେତିକି ନୁହେଁ, ହଟସ୍ପଟ୍ ଜିଲ୍ଲା; ବିଶେଷ କରି ଗଞ୍ଜାମ୍ ଜିଲ୍ଲାରୁ ରୋଗୀଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି। ଏଣିକି ବିନା କୋଭିଡ୍ ପରୀକ୍ଷାରେ ଅସ୍ତ୍ରୋପଚାର କରାଯିବନି। ଅତି ଜରୁରୀ ଥିଲେ ସେ କ୍ଷେତ୍ରରେ ରୋଗୀଙ୍କର କାଜୁଆଲିଟିରେ କୋଭିଡ୍ ସ୍କ୍ରିନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା, ଅସ୍ତ୍ରୋପଚାର ତଥା ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ। କାଜୁଆଲିଟି, ଓପିଡି, ୱାର୍ଡକୁ ଜୋନ କରାଯିବ। ପ୍ରତି ୱାର୍ଡରେ ଆଇସୋଲସନ୍ ୱାର୍ଡ ରହିବା ଜରୁରୀ କରାଯିବ। ସନ୍ଦିଗ୍ଧ ରୋଗୀ, ହଟ୍ସ୍ପଟ୍ ଜିଲ୍ଲା, କଣ୍ଟେନମେଣ୍ଟ୍ ଜୋନରୁ ଆସୁଥିବା ରୋଗୀଙ୍କୁ ପ୍ରଥମେ ଆଇସୋଲେସନ୍ ୱାର୍ଡରେ ରଖାଯିବ। ସେମାନଙ୍କ କୋଭିଡ୍ ରିପୋର୍ଟ ଆସିବା ପରେ ୱାର୍ଡକୁ ସ୍ଥାନାନ୍ତରିତ କରାଯିବ।

ଏଥିସହ ଏସସିବି , ଆଚାର୍ଯ୍ୟ ହରିହର, ଶିଶୁଭବନ, ସିଟି ହସ୍ପିଟାଲର ପାରା ମେଡିକାଲ, ନର୍ସେସ୍, ସିକ୍ୟୁରିଟି, ସଫେଇ କର୍ମଚାରୀଙ୍କୁ ପୁଣି ଥରେ କୋଭିଡ୍ ତାଲିମ୍ ଦିଆଯିବ। ବିଭିନ୍ନ ହଟସ୍ପଟ୍ ଜିଲ୍ଲାରୁ ବା କଣ୍ଟେନମେଣ୍ଟ ଅଂଚଳରୁ କଟକକୁ ଚିକିତ୍ସା ପାଇଁ ରୋଗୀମାନେ ନ ଆସିବାକୁ ଅନୁରୋଧ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ। ସ୍ଥାନୀୟ ମେଡିକାଲରେ ଚିକିତ୍ସା ସୁବିଧା ରହିଥିବାରୁ ରୋଗୀଙ୍କ ସେଠାରେ ଚିକିତ୍ସା ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ଫିଭର କ୍ଲିନିକ୍ ଉପରେ ସଚିବ ଗୁରୁତ୍ୱରୋପ କରିବା ସହ ଥଣ୍ଡା, କାଶ, ଜ୍ବର ବା ଲକ୍ଷଣ ଥିବା ବ୍ୟକ୍ତି ଫିଭର୍ କ୍ଲିନିକ୍ ଯାଇ ପରୀକ୍ଷା କରାନ୍ତୁ। ତା ସହିତ କଟକର ପ୍ରମୁଖ ୪ଟି ହସ୍ପିଟାଲକୁ ରାଜ୍ୟର ହଜାର ହଜାର ରୋଗୀ ପ୍ରତିଦିନ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ମଧ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଛି। ଓପିଡି, ୱାର୍ଡ, କାଜୁଆଲିଟିରେ ଯେପରି ସାମଜିକ ଦୂରତା ରହିବ, ସେଥିପାଇଁ ଭିଡ ନିୟନ୍ତ୍ରଣ କରିବାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ସେମାନେ ସହାୟତା କରିବେ।

ଅନ୍ୟପଟେ ହସ୍ପିଟାଲରୁ ଅଧିକସଂଖ୍ୟକ ରୋଗୀ ଓ ସମ୍ପର୍କୀୟ ସଂକ୍ରମିତ ହେଉଥିବା ଓ ରିପୋର୍ଟ ପଜିଟିଭ୍ ଆସିବା ପରେ କରୋନା ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଆମ୍ବୁଲାନ୍ସ ଅଭାବ ରହିଥିବାରୁ କଟକକୁ ୪ଟି ଆମ୍ବୁଲାନ୍ସ ଦିଆଯିବ। କର୍କଟ କେନ୍ଦ୍ରର ଯେଉଁମାନେ କ୍ବାରାଣ୍ଟିନରେ ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ଜଣେ ଆସୋସିଏଟ୍ ପ୍ରଫେସର ନିଯୁକ୍ତ କରିବା ପାଇଁ ଡାଇରେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଚାର୍ଯ୍ୟ ହରିହରରେ ରହିଥିବା ୪୦/୫୦ ରୋଗୀଙ୍କ କୋଭିଡ୍ ପରୀକ୍ଷା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ରୋଗୀଙ୍କ ନୂଆ ଆଡମିସନ୍ କରାଯିବନି। ଏଥିସହ ଆଚାର୍ଯ୍ୟ ହରିହର, ଏସସିବିକୁ ସଂପୂର୍ଣ୍ଣ ବିଶୋଧନ କରାଯିବ। ଅନ୍ୟପଟେ ଏସସିବିକୁ ୩ଟି ଟ୍ରୁ-ନଟ୍ ମେସିନ୍ ଆସିଥିବାରୁ ଏହାଦ୍ୱାରା ଅଧିକସଂଖ୍ୟକ କୋଭିଡ୍ ଟେଷ୍ଟିଂ ହୋଇପାରିବ। ବର୍ତ୍ତମାନ ଏସସିବିରେ ୧୬ଶହ ପରୀକ୍ଷା ହେଉଥିବାବେଳେ ପ୍ରତିଦିନ ଯେପରି ୨୦୦୦ହଜାର ପରୀକ୍ଷା କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe