କରୋନା କଟକଣା ଉଲଙ୍ଘନ ନେଇ ଆକ୍ସନ ମୋଡରେ ସିଏମସି । ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ହସ୍ପିଟାଲରେ ଚଢାଉ

98

କନକ ବ୍ୟୁରୋ : କଟକ ବଡମେଡିକାଲ ଅଞ୍ଚଳରେ ଆଜି ଚଢାଉ କରିଛି ସିଏମସି ଏନଫୋର୍ସମେଣ୍ଟସ୍କାଡ୍ । ରାଣୀହାଟ ଓ ମଙ୍ଗଳାବାଗ୍ ଅଞ୍ଚଳରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢାଉ କରି ଜରିମାନା କରିଛି । ଏହି ଚଢାଉରେ ସିଏମସି ଏନଫୋର୍ସମେଣ୍ଟର ଅଧିକାରୀ ମାନେ ସାମିଲ ହୋଇଥିବା ବେଳେ ସନ୍ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ୭ ହଜାର ଟଙ୍କା ଜରିମାନା କରାଯାଇଛି । ସେହିଭଳି ଓମ୍ ଶୁଭମ୍ ହସ୍ପିଟାଲ ଉପରେ ଚଢାଉ କରି ୫ ହଜାର ଟଙ୍କା ଜରିମାନା କରାଯାଇଛି । କୋଭିଡ୍ ନିୟମ ଉଲଙ୍ଘନ ନେଇ ଏହି ଜରିମାନା କରାଯାଇଥିବା ଜଣାପଡିଛି ।

କହିରଖୁ କି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟସରକାର ତତ୍ପରତା ଦେଖାଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡଲାଇନ୍ ଜାରୀ କରାଯାଇଛି । ଏହାକୁ ଉଲଙ୍ଘନ କରୁଥିବା ଲୋକ ବା ସଂସ୍ଥା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥଳେ ଜନଗହଳୀପୂର୍ଣ୍ଣ ସହର କଟକରେ କୋଭିଡ୍ କଟକଣା ପାଳନ ଉପରେ ତୀକ୍ଷ୍ମ ନଜର ରଖିଛି ସିଏମସି ।