ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ସିଏମସି ଡେପୁଟି କମିସନର ବିଶ୍ୱନାଥ ଲେଙ୍କାଙ୍କ ପରଲୋକ

172

କନକ ବ୍ୟୁରୋ : କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ର ଡେପୁଟି କମିସନର ବିଶ୍ୱନାଥ ଲେଙ୍କାଙ୍କର ଆଜି ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।  ସେ  କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ ବୋଲି ସୂଚନା ରହିଛି। ପ୍ରକାଶ ଯେ ସିଏମସିର ବରିଷ୍ଠ ଅଧିକାରୀ ଶ୍ରୀ ଲେଙ୍କା ଗତ ୧୫ ଦିନ ଧରି ଚିକିତ୍ସିତ ହେଉଥିଲେ। ସେ ସିଏମସି କାର୍ଯ୍ୟାଳୟର ପ୍ରଥମ ବ୍ୟକ୍ତି ଯିଏକି ଏହି ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସେ କଟକ କୋଭିଡ୍ କଣ୍ଟ୍ରୋଲ ରୁମର ମଧ୍ୟ ଦାୟିତ୍ୱରେ ଥିଲେ।

ଦେହାନ୍ତ ପରେ ସତୀଚଉରାସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ମରଶରୀରରେ କମିସନର ଅନନ୍ୟା ଦାସ ଏବଂ  ସିଏମସି ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ବ୍ୟତୀତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ଦେହାନ୍ତରେ ଦୁଃଖପ୍ରକାଶ କରିଛନ୍ତି। ବିଧାୟକ ମୋକିମ କହିଛନ୍ତି, ଯୁବ କରୋନା ଯୋଦ୍ଧା ବିଶ୍ୱନାଥ ଲେଙ୍କାଙ୍କ ଅକାଳ  ବିୟୋଗ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଏହି ଦାରୁଣ  ଦୁଃଖ ସମୟରେ ତାଙ୍କ ପରିବାର ପରିଜନଙ୍କୁ ମୋର ଗଭୀର ସମବେଦନା ।