ୟୁପି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଜନସଂଖ୍ୟା ନୀତି ୨୦୨୧-୩୦ । ପିଲା ସଂଖ୍ୟା ୨ଥିଲେ ମିିଳିବ ଏହିସବୁ ସୁବିଧା ।

272

କନକ ବ୍ୟୁରୋ : ବିଶ୍ୱ ଜନସଂଖ୍ୟା ଦିବସ ଅବସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଂଖ୍ୟା ନୀତି ୨୦୨୧-୩୦ ଘୋଷଣା କରିଛନ୍ତି । ଏହି ଅବସରରେ ସେ ବଢୁଥିବା ଜନସଂଖ୍ୟା ଦ୍ୱାରା ବିଶ୍ୱ ସାମ୍ନା କରୁଥିବା ଅସୁବିଧା ସଂପର୍କରେ ବି କହିଛନ୍ତି । ଏହି ସଭାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ବିଧି ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ ୨୦୨୧ ର ଡ୍ରାଫ୍ଟ ପ୍ରସ୍ତୁତ କରିଛି । ରାଜ୍ୟରେ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ଲଗାଇବାକୁ ଏଥିରେ ଅନେକ ପ୍ରସ୍ତାବ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ନୂଆ ଜନସଂଖ୍ୟା ନୀତି ଜାରି କରି କହିଛନ୍ତି କି ଏବେ ସାରା ବିଶ୍ୱ ବଢୁଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରଥମେ ସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି । ଏହାସହ ରାଜ୍ୟ ସରକାର ଆଣିବାକୁ ଯାଉଥିବା ବିଲରେ ସବୁ ଧର୍ମ ଓ ସବୁ ବର୍ଗର ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଇଛି । ଏହା ସମସ୍ତଙ୍କ ଜୀବନରେ ସୁଖ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆପଣଙ୍କୁ କହିରଖୁ କି ଏହି ଡ୍ରାଫ୍ଟ ମୁତାବକ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କୁ ସରକାରୀ ଯୋଜନାରୁ ଲାଭ ମିିଳିବ ନାହିଁ    । ଏହାସହ ସଂପୃକ୍ତି ଅବିଭାବକ ସରକାରୀ ଚାକିରୀ ପାଇଁ ବି ଆବେଦନ କରିପାରିବେ ନାହିଁ । ଏହାସହ ୨ ରୁ ଅଧିକ ପିଲାଥିଲେ ସେମାନେ ନିର୍ବାଚନ ଲଢିବାରୁ ବଞ୍ଚିତ ହେବେ । ଏହାସହ ଗୋଟିଏ ପରିବାରର ରାସନ କାର୍ଡରେ ସର୍ବାଧିକ ୪ ଜଣଙ୍କ ନାମ ରହିବ । ୨ ରୁ ଅଧିକ ପିଲାଥିଲେ ସରକାରୀ ଯୋଜାନାରେ ମିଳୁଥିବା ରିହାତି ପାଇଁ ସେମାନେ ଆବେଦନ କରିପାରିବେ ନାହିଁ । ହେଲେ ୟୁ.ପିର ନୂଆ ଜନସଂଖ୍ୟା ନୀତିରେ ଜଣେ ବ୍ୟକ୍ତି ୩ୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିପାରିବ ।

ଅନ୍ୟପଟେ ୨ ବା ତା ଠାରୁ କମ୍ ପିଲାଥିବା ଅବିଭାବକ ସହ ପିଲାମାନଙ୍କ ପାଇଁ ଏହି ଡ୍ରାଫ୍ଟରେ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଏହି କାଟାଗୋରୀରେ ଯାଉଥିବା ଅବିଭାବକ ମାନେ ସରକାରୀ ଚାକିରୀ କରିଥିଲେ ସେମାନଙ୍କୁ ଅଧିକ ୨ ଟି ସାଲାରୀ ଇନକ୍ରିମେଣ୍ଟ ମିଳିବ । ଏହାସହ ପଦୋନ୍ନତି ଓ ୧୨ ମାସର ମାତୃତ୍ୱ କିମ୍ବା ପିତ୍ୃତ୍ୱ ଛୁଟି ମିଳିବ । ଅନ୍ୟ ପଟେ ଯାହା ପାଖରେ ସରକାରୀ ଚାକିରୀ ନାହିଁ ସେମାନଙ୍କୁ ପାଣି, ବିଜୁଳି, ହୋମ ଟ୍ୟାକ୍ସ, ହୋମ ଲୋନ ଭଳି ଅନେକ ସୁବିଧା କରାଯାଇଛି ।