କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଯୋଗୀ ସରକାର ବିଶେଷ ଭାବେ ବୁଲଡୋଜରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବଳ ବୁଲଡୋଜର ନୁହେଁ ଦଙ୍ଗାକାରୀ, ମାଫିଆ ଓ ବିରୋଧୀଦଳ ନେତାଙ୍କ ଉପରେ ତୁରନ୍ତ ଆକ୍ସନ ନେବାରେ ଯୋଗୀ ସରକାର ଦେଶର ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ବେଶ ପରିଚିତ । ହେଲେ ଆଜି ଉତ୍ତର ପ୍ରଦେଶରେ ଯାହା ଘଟିଛି ତାହା ପାଇଁ ଯୋଗୀ ସରକାର କେତେ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୨୦୨୫ ହେବାକୁ ଯାଉଛି ମହାକୁମ୍ଭ ମେଳା । ଏନେଇ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଜୋରଦାର ଚଳାଇଛି । ପ୍ରୟାଗରାଜକୁ ଯୋଡୁଥିବା ସମସ୍ତ ସଡକର ମରାମତି କାମ ଚାଲିଛି । ଏହି କ୍ରମରେ ଟୋସ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯାଇଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦଘାଟନ କରିଥିଲେ । ହେଲେ ଉଦଘାଟନର ୨୪ ଘଣ୍ଟା ପରେ ଏହି ପୋଲ ଫାଟିଯାଇଛି । ପୋଲ ଫାଟିଥିବାର ଚିତ୍ର ଦେଖିବା ପରେ ଅନୁମାନ କରାଯାଉଛି କି, ପୋଲ ନିର୍ମାଣ କରିଥିବା ଠିକାଦାର ଘରେ ବୁଲଡୋଜର ଚାଲିବ । ହେଲେ ଚିତ୍ର ଆସିବାର ଅନେକ ସମୟ ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଫଟା ପୋଲର ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ସ୍ଥାନୀୟ ଲୋକମାନେ ଠିକାଦାର ବିରୋଧରେ ଯାଂଚ ପାଇଁ ଦାବି କରୁଛନ୍ତି । ସେପଟେ ଏହାକୁ ନେଇ ଅଧିକାରୀମାନେ ଦାବି କରିଛନ୍ତି କି, ପୋଲ ଫାଟିନାହିଁ ବରଂ ମାଟି ଦବି ଯାଇଛି । ରାଜସେତୁ ନିଗମର ଅଧିକାରୀ ଅନିରୋଦ୍ଧ କୁମାର କହିଛନ୍ତି କି, ପୋଲରେ କୌଣସି ଫାଟ ନାହିଁ । ଏହା ମାଟି ଦବିବା କାରଣରୁ ହୋଇଛି ।